ୟୁପି ଘଟଣାରେ ଓଡ଼ିଶାରେ ବିରୋଧ, ରାଜ୍ୟପାଳଙ୍କୁ ଭେଟିଲା ସାମଜବାଦୀ ପାର୍ଟି

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଅଭିଯୋଗ ଘଟଣା । ଓଡ଼ିଶାରେ ବି ଉଠିଲା ବିରୋଧର ସ୍ୱର । ରାଜଭବନ ଆଗରେ ସାମଜବାଦୀ ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିଛି । ଯୋଗୀ ସରକାର ବିରୋଧରେ ନାରାବାଜି ଦିଆଯାଇଛି । ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା । ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବାପା ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି ହୋଇଛି ।

ମୃତ ଚାଷୀଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ସମାଜବାଦୀ ପାର୍ଟି । ଅଟକ ରଖାଯାଇଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଦାବି କରାଯାଇଛି । ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ କାର୍ ଚଢାଇ ଦେଇଥିଲେ । ସେପଟେ ଆଜି ସକାଳେ ଘଟଣାସ୍ଥଳକୁ ଯାଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିଥିଲା  ।

Leave a Reply