ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ ରୁସଦି, ହରାଇ ପାରନ୍ତି ଆଖି

ନୂଆଦିଲ୍ଲୀ: ସଙ୍କଟାପନ୍ନ ଅବସ୍ଥାରେ ବିଶିଷ୍ଟ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟାବସ୍ଥା । ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଲିଭର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସେହିପରି ରୁସଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ।

ଗତକାଲି ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ତାଙ୍କ ଉପରେ ହୋଇଥିଲା ରକ୍ତାକ୍ତ ଆକ୍ରମଣ । ରୁସଦିଙ୍କ ଗଳାରେ ୧୦ରୁ ୧୫ ଥର ଛୁରୀଘାତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଏକ ହେଲିକପ୍ଟରରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପ୍ରସିଦ୍ଧ ପୁସ୍ତକ ଦି ସାଟାନିକ ଭର୍ସେସର ଲେଖକ ସଲମାନଙ୍କ ଉପରେ ହୋଇଥିବା ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଏହି ପୁସ୍ତକ ରଚନା ପରେ ସେ ବାରମ୍ବାର  ହତ୍ୟା ଧମକ ପାଇଥିଲେ। ଦି ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶ ପାଇବା ପରେ ବିଶ୍ବର ବିଭିନ୍ନ ମହଲରୁ ତାଙ୍କ ବିରୋଧରେ ପ୍ରତିବାଦ ସୃଷ୍ଟି ହେବା ସହ ହତ୍ୟା ଧମକ ଦିଆଯାଇଥିଲା ।  ୧୯୮୦ ଦଶକରେ ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶିତ ହେବା ପରେ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସଲମାନ ।

ତାଙ୍କ ମୁଣ୍ଡ ଲାଗି ଇରାନ ସରକାର ୨୦୧୬ରେ ଘୋଷଣା କରିଥିଲେ ୬ ଲକ୍ଷ ପାଉଣ୍ଡ । ଭାରତୀୟ ବଂଶୋଦ୍ଭବ ସଲମାନ ବ୍ରିଟିଶ ନାଗରିକ ଭାବେ ୨୦ ବର୍ଷ ଧରି ଆମେରିକାରେ ବାସ କରୁଛନ୍ତି । ୧୯୪୭ ଜୁନ ୧୯ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସଲମାନ ରୁସଦି । ସଲମାନଙ୍କ ଦ୍ବାରା ଲିଖିତ ମିଡନାଇଟସ ଚିଲଡ୍ରେନ ୧୯୮୧ରେ ପ୍ରକାଶିତ ହୋଇଥିବା ବେଳେ ଦି ସାଟାନିକ ଭର୍ସେସ ୧୯୮୮ରେ ପ୍ରକାଶିତ ହୋଇଥିଲା । ୨୦୦୭ରେ ରାଣୀ ଏଲିଜାବେଥଙ୍କ ଦ୍ବାରା ତାଙ୍କୁ ମିଳିଥିଲା ସାର୍ ସମ୍ମାନ ।