spot_img

Latest Posts

୩ ଦିନରେ ସରିଲା ସାଲିଆ ସାହି ଉଚ୍ଛେଦ: ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବସ୍ତିବାସିନ୍ଦାଙ୍କ ଘର

୩ ଦିନରେ ସରିଲା ସାଲିଆ ସାହି ଉଚ୍ଛେଦ: ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବସ୍ତିବାସିନ୍ଦାଙ୍କ ଘର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସାଲିଆ ସାହିରେ ସରିଲା ଉଚ୍ଛେଦ । ୭ ଦିନ ନୁହେଁ, ହେଲେ ୩ ଦିନରେ ଉଚ୍ଛେଦ ସରିଗଲା । ଗୋଟିଏ ପଟେ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟପଟେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ ପରେ ବଲ ପଡିଆରେ ଜୋର ଜବରଦସ୍ତ ଜାଗା ଅକ୍ତିଆର କରିଥିବା ବସ୍ତିବାସିନ୍ଦାଙ୍କୁ ହଟାଇଛି ପ୍ରଶାସନ । ଉଚ୍ଛେଦ ପାଇଁ ୫୫୪ ଘର ଚିହ୍ନଟ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।

ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବସ୍ତିବାସିନ୍ଦାଙ୍କ ଘର । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ବାସଗୃହ, ଅଯୋଗ୍ୟଙ୍କୁ ନୁହେଁ । ବାମପାର୍ଶ୍ବ ସମାନ୍ତରାଳ ପରେ, ଏବେ ଡାହାଣ ସାମନ୍ତରାଳ ପାଳି । ତୃତୀୟ ଦିନରେ ମାରାଥନ ଉଚ୍ଛେଦ କରିଥିଲା ମିଳିତ ଟିମ । ପ୍ରାୟ ୧ କିଲୋମିଟର ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଉଚ୍ଛେଦକୁ ଲାଗିଥିଲା ଦୁଇ ବର୍ଷ । ଏକାମ୍ରକାନନକୁ ରାସ୍ତାକୁ ସଂଯୋଗର ବାଟ ଫିଟିଲା । ଆଜି ସକାଳୁ ସକାଳୁ ଆଦିବାସୀ ଗାଁରେ ୫ ଟିମ ଘର ଭାଙ୍ଗିବା ଆରମ୍ଭ କରିଥିଲେ । ସନ୍ଧ୍ୟା ବେଳେକୁ ଅପରେସନ ଶେଷ ହୋଇଥିଲା । ବିନା ସର୍ଭେରେ ଘର ଉଚ୍ଛେଦ ହୋଇଥିବା ଅଭିଯୋଗ ହୋଇଛି । ମାଣବସା ଗୁରୁବାର, ଝୋଟି ପଡିଥିଲା ଓ ଦୀପ ଜଳୁଥିଲା । ବିନା ନୋଟିସରେ ଆସି ଘର ଭାଙ୍ଗିଦେଲେ । ଶୀତ କାକରରେ କୋଉଠି ରହିବୁ ବୋଲି ଦୁଃଖ ବଖାଣିଛନ୍ତି ବାସହରା ବସ୍ତି ବାସିନ୍ଦା ।

ଯେଉଁମାନଙ୍କୁ ଉଚ୍ଛେଦ କରାଯାଉଛି, ତାଙ୍କ ଭିତରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି । ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କେବେ ବି ଘର ଦିଆଯାଇପାରିବନି । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ବିକଶିତ ଭୁବନେଶ୍ୱର ପାଇଁ ବାମପର୍ଶ୍ବ ସମନ୍ତରାଳ ରାସ୍ତାର ବହୁତ ଆବଶ୍ୟକତା ରହିଛି । ପୂର୍ବରୁ ସେଠିକାର ଲୋକଙ୍କୁ ନୋଟିସ୍ କରାଯାଇଥିଲା । ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ କରାଯାଇଛି । ଉଚ୍ଛେଦ ଯୋଗୁଁ ପିଲାଙ୍କ ପାଠ ପଢ଼ା ଯେମିତି ବାଧାପ୍ରାପ୍ତ ନ ହେବ ସେଥିପାଇଁ ସେଠିକାର ସ୍କୁଲରେ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ବିଏମସି କମିଶନର ।

ସେପଟେ ଡାହାଣ ପାର୍ଶ୍ବ ସାମନ୍ତରାଳ ରାସ୍ତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରର ଗାଡ଼କଣରୁ ପଟିଆ ନିୟୁ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବା ନେଇ ଜାଗା ଚିହ୍ନଟ କରାଯାଇଛି  । ଗୁରୁ କେଳୁଚରଣ ପାର୍କ ପାଖ ଦକ୍ଷିଣ ପଟ ପଟିଆ ଆଡ଼କୁ ରାସ୍ତା ପ୍ରଶସ୍ତିକରଣ ପାଇଁ ୯୦ରୁ ଊର୍ଦ୍ଧ୍ବ ଘର ଭଙ୍ଗାଯିବ । ସେହି ଜାଗାରେ କଲ୍ୟାଣ ସାହି ବସ୍ତି ରହିଛି । ଥଇଥାନ ନକରି ଉଚ୍ଛେଦ କଲେ ରାଜରାସ୍ତାରେ ଲଢେଇ ହେବ ବୋଲି ବସ୍ତିବାସିନ୍ଦା ଚେତାଇ ଦେଇଛନ୍ତି ।

ତୃତୀୟ ଦିନରେ ସାଲିଆ ସାହିରେ ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ ହୋଇଥିଲା । ଗତକାଲି ସୁଦ୍ଧା ୪ ଶହ ଘର ଉଚ୍ଛେଦ ସରିଥିବାବେଳେ ଆଜି ୧୫୪ଟି ଘର ଉଚ୍ଛେଦ ହୋଇଛି । ଉଚ୍ଛେଦ ପରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

Latest Posts

Don't Miss