ଡିଲରଙ୍କ ପାଇଁ ରାସନରୁ ବଞ୍ଚିତ ବୃଦ୍ଧା

ସାଲେପୁର: ଡିଲରଙ୍କ ମନମୁଖୀ କାମ ପାଇଁ ରାସନକାର୍ଡରୁ ବଞ୍ଚିତ ହିତାଧିକାରୀ । ରାସନ ସାମଗ୍ରୀରୁ ବଞ୍ଚିତ ଥିଲେ ସାଲେପୁର ବ୍ଲକ୍ ଚମ୍ପତି ପଞ୍ଚାୟତ ଗୋପୀନାଥ ପୁର ଗାଁରେ ହିତାଧିକାରୀ । ଏସମ୍ପର୍କରେ 5T ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ପଶିଚି ଚେତା। ଗାଁରେ ପହଞ୍ଚିଛନ୍ତି ଯୋଗାଣ ଅଧିକାରୀ।

କଟକ ସାଲେପୁର ବ୍ଲକ୍ ଚମ୍ପତୀ ପଞ୍ଚାୟତର ଗୋପୀନାଥ ପୁର ଗାଁର ପଞ୍ଚେଇ ମଲ୍ଲିକ । ବୟସ ପାଖାପାଖି ୮୦ ଛୁଇଁଲାଣି । ସ୍ବାମୀ ଆଜକୁ ଚାରି ବର୍ଷ ହେବ ଆରପାରିକୁ ଗଲେଣି ଏବେ ଆଉ ସେ ଉଠି ପାରୁ ନାହାନ୍ତି । ଅସୁସ୍ଥତା ପାଇଁ ଗୋଟିଏ ଜାଗାରେ ପଡ଼ି ରହିଛନ୍ତି । ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ ଥାଇ ସୁଦ୍ଧା ଆଜକୁ ପ୍ରାୟ ଦୁଇ ବର୍ଷ ହେବ ରାସନ ସାମଗ୍ରୀରୁ ବଞ୍ଚିତ ଅଛନ୍ତି ।

ଏସଂପର୍କରେ 5t ସଚିବଙ୍କୁ ଅଭିଯୋଗ ପରେ ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି ।  ଦୀର୍ଘ ବର୍ଷ ଧରି ଏହି ପଞ୍ଚାୟତର ଏକ ମାତ୍ର ଡିଲର ଥିବାରୁ  ଗରିବ ହିତାଧିକାରୀ ମାନଙ୍କ ପାଇଁ ଆସୁଥିବା ସାମଗ୍ରୀ ହରିଲୁଟ କରି ଚାଲିଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ମିଳିଛି ତଦନ୍ତ କରି ରିପୋର୍ଟ ଦେଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ନିରୀକ୍ଷକ କହିଛନ୍ତି।