ରାତି ଅଧରେ ଚୋର ସାଜି ଲୁଟ କଲେ, ଦୁର୍ବୁତ୍ତ ସାଜି ଜେଜେକୁ ମର୍ଡର କଲେ

ନନ୍ଦିଘୋଷ ବ୍ୟୁରୋ: ରାତି ଅଧରେ ଚୋର ସାଜି ଲୁଟ କଲେ  । ବୃଦ୍ଧଙ୍କୁ ହତ୍ୟା କଲେ  । ପୁଣି ପଛରେ ମିଥ୍ୟା ନାଟକ ରଚିଲେ  । ନିଜକୁ ଆଘାତ ଦେଇ କହିଲେ, ଘରକୁ ଆସିଥିଲେ ୪ ଦୁର୍ବୃତ୍ତ ।  ଜେଜେଙ୍କୁ ମାରି ଚାଲିଗଲେ  । କିନ୍ତୁ ହତ୍ୟାକାରୀ ନିଜ ଘରେ ଭିତରେ । ନିଜର ଆତ୍ମୀୟ ସାଜିଥିଲେ ହତ୍ୟାକାରୀ  । ଦୁର୍ବୁତ୍ତ ବେଶରେ ଆସି ପ୍ରଥମେ ମର୍ଡର କଲେ, ପରେ ଆତ୍ମହତ୍ୟାର ରୂପ ଦେବାକୁ କମ୍ବଳରେ ନିଆଁ ଲଗାଇଦେଲେ  । ହଁ ଲୁଟ କରି ହତ୍ୟା କରିଥିବା ଦୁର୍ବୁତ୍ତ ଆଉ କେହି ନୁହେଁ  । ଖୋଦ ନିଜ ନାତି ଲେଖିଛି ଜେଜେର ମୃତ୍ୟୁ ରଚନା  ।

ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁର ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ଘଟଣା । ମର୍ଡର ପଛର ରହସ୍ୟ ଉନ୍ମୋଚନ କରିଛି ପୋଲିସ । କେବଳ ଟଙ୍କା ସୁନା ଲୋଭରେ ନିଜ ଆତ୍ମୀୟଙ୍କ ଜୀବନ ନେବାକୁ ପଛାଇଲାନି ନାତି ଓଁକାର । ପିଶାଚ ସାଜି ଜେଜେ ହୃଷିକେଶ ମୁଦୁଲି ଓ ଜେଜେମା କନକଲତା ମୁଦୁଲିଙ୍କୁ ଯୋଜନା ବଦ୍ଧ ମର୍ଡର ବ୍ଲୁ ପ୍ରିଣ୍ଟ୍  । ଶୋଇଥିବା ବେଳେ ଯୋଜନା ବଦ୍ଧ ଭାବେ ଚୋରି କରିବାକୁ ଆଲିମିରା ଖୋଲିଥିଲା । ହେଲେ ଜେଜେ ହୃଷୀକେଶ ବିରୋଧ କରିବାରୁ ଉତକ୍ଷୀପ୍ତ ହୋଇ କଟୁରିରେ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ ନାତି । ପରେ ଜେଜେମା ବିରୋଧ କରିବାକୁ ତାଙ୍କୁ ମଧ୍ୟ କଟୁରୀରେ ଚୋଟ ପକାଇଥିଲା ଓଁକାର । ଘଟଣାସ୍ଥଳରେ ହୃଷୀକେଶଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁର୍ଘଟଣାର ରୂପ ଦେବାକୁ କମ୍ବଳରେ ନିଆଁ ଲଗାଇ ଦେଇଥିଲା ମାଷ୍ଟରମାଇଣ୍ଡ ନାତି ଓଁକାର ।

ପରେ ନିଜ ମୁଣ୍ଡରୁ ସନ୍ଦେହର ଆଖି ହଟାଇବାକୁ କାହାଣୀ ଗଢିଥିଲା ନାତି  ।   ଗାଁଲୋକ ଓ ପୋଲିସକୁ ଶୁଣାଇଥିଲା ମନଗଢ଼ା ମିଛ ଗପ  ।  ନିଜକୁ ଆଘାତ ଦେଇ କହିଥିଲା 4 ଦୁର୍ବୃତ୍ତ ଆସି ଲୁଟ୍ ସହ ଆକ୍ରମଣ କରିଥିବା କହିଥିଲା ଓଁକାର  । ଓଁକାରକୁ ଘରେ ଲକ୍ କରି ଜେଜେ ଓ ମାଆଙ୍କୁ ଆକ୍ରମଣ କରିଥିବା କହିଥିଲା ଅଭିଯୁକ୍ତ । ହେଲେ ଓଁକାରର ମିଛ ନାଟକ ପୋଲିସ ଆଗରେ ଧରା ପଡ଼ିଯାଇଛି । ପୋଲିସର ଚାଲାକି ଆଗରେ ହାର ମାନି ଯାଇଛି ଅଭିଯୁକ୍ତର ନାଟକ  ।  ଗିରଫ ହୋଇଛି ଅଭିଯୁକ୍ତ ନାତି ଓଁକାର । ସାମାନ୍ୟ ଅର୍ଥ ଲୋଭରେ ନିଜେ ସାଜିଥିଲା ରକ୍ତିମ ଅଧ୍ୟାୟର ଖଳନାୟକ  । ଯେଉଁ କୋଳରେ ବସି ଦିନେ ବଡ ହୋଇଥିଲା, ଯେଉଁ ଜେଜେର କାନ୍ଧରେ ବସି ହାଟକୁ ବୁଲି ଯାଉଥିଲା  । ସେଇ ଜେଜେର ଜୀବନ ନେବାକୁ ପଛାଇଲାନି  । ସେପଟେ କୋଳରେ ଧରି ନାତିର ପିଠିରେ ତେଲ ଘଷି ଦେଇଥିବା ଜେଜେମା ଆଜି ମୃତ୍ୟୁ ସହ ମେଡିକାଲରେ ଲଢୁଛି  ।