ଅଧାରେ ଅଟକିଛି ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ
ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ ପାଇଁ ଯୋଜନା କରିଥିଲେ ପୂର୍ବ ସରକାର। ବିଶ୍ଵ ଦରବାରରେ ମଧୁବାବୁଙ୍କ ପୀଠକୁ ପର୍ଯ୍ୟଟନ ସ୍ଥଳରେ ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା । ହେଲେ ୨୦୨୩ ମସିହାରେ ପୂର୍ବ ସରକାର ସମୟରେ ୨୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଉନ୍ନତିକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ହେଲେ ଏବେ ଜମି ଅଧିଗ୍ରହଣକୁ ନେଇ ଅଧାରେ ଅଟକିଛି ଉନ୍ନତି କାର୍ଯ୍ୟ। ଏଥିପାଇଁ ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି ।
ଅଧାରେ ଅଟକିଛି ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ । ପ୍ରକଳ୍ପ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ହୋଇପାରିନାହିଁ ଜମି ଅଧିଗ୍ରହଣ । କଟକ ଜିଲ୍ଲା ସାଲେପୁର ବ୍ଳକ ସତ୍ୟଭାମାପୁର ମଧୁବାବୁଙ୍କ ଜନ୍ମ ପୀଠକୁ ଗମନା ୭ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି । ହେଲେ ଉନ୍ନତିକରଣ କାର୍ଯ୍ୟ ପୁରା ସ୍ଥାଣୁ ହୋଇଯାଇଛି। ମଧୁବାବୁଙ୍କ ଜମି କସ୍ତୁରବା ଗାନ୍ଧୀ ଟ୍ରଷ୍ଟ, ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟ ଓ ମଧୁସ୍ମୃତି କମିଟି ନାମକ ତିନିଗୋଟି ସଂସ୍ଥା ନାମରେ ରହିଛି। ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏନଓସି ପ୍ରଦାନ କରାଯାଇ ନଥିବାରୁ ଉନ୍ନତିକରଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପ୍ରଶାସନିକ ସ୍ତରରେ ଶିଘ୍ର ଜମି ଅଧିଗ୍ରହଣ ସହିତ ଉନ୍ନତିମୂଳକ କାର୍ଯ୍ୟକୁ ତ୍ଵରାନ୍ଵିତ କରାନଗଲେ ଆସନ୍ତା ପ୍ରେବୃଆରୀ ୪ ତାରିଖରେ ମଧୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ମଧୁବାବୁଙ୍କ ପୀଠର ଉନ୍ନତିକରଣ ପାଇଁ ଜମିର ଏନଓସି ଓ ଏମଓୟୁ ପ୍ରଦାନ ଦିଗରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି। ମଧୁବାବୁଙ୍କ ଦ୍ୱାରା ନିର୍ମିତ କୁଟୀର ଶିଳ୍ପ ଓ ଗ୍ରାମ୍ୟ ଶିଳ୍ପର ବିକାଶ ଦିଗରେ ପ୍ରଶାସନ ସହ ଆଲୋଚନା କରାଯାଇଛି ବୋଲି ମଧୁବାବୁଙ୍କ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଟ୍ରଷ୍ଟି । ପୂର୍ବ ସରକାର ସମୟରେ ପୀଠର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ ୨୦୨୩ ମସିହାରେ ୨୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ବିଶ୍ଵ ଦରବାରରେ ମଧୁବାବୁଙ୍କ ପୀଠକୁ ପର୍ଯ୍ୟଟନ ସ୍ଥଳରେ ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା । ଜମି ଅଧିଗ୍ରହଣକୁ ନେଇ ଅଧାରେ ଅଟକିଛି ଉନ୍ନତିକରଣ କାର୍ଯ୍ୟ । ମଧୁବାବୁଙ୍କ ପୀଠର ମୋଟ ୨୨ ଏକର ଜମିରୁ ୬ ଏକର ଜମି ଟ୍ରଷ୍ଟ ପାଖରେ ରହିଛି । ଆଉ ୧୬ ଏକର ଜମିକୁ ଏକାଠି କରି ମଧୁବାବଙ୍କ ପୀଠର ବିକାଶ କରାଯାଉ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ମଧୁବାବୁଙ୍କ ଗାଁ ସତ୍ୟଭାମାପୁର ବାସୀ ଓ ଟ୍ରଷ୍ଟର ବିବାଦ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ କେବେ କେବେ ଆରମ୍ଭ ହେଉଛି ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ସରକାର ଓ ପ୍ରଶାସନ ଗୁରୁତର ସହିତ ନେଇ ମଧୁବାବୁଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି ହୋଇଛି ।