ଚାଳ ଛପର ଘରେ ବିତୁଛି ଜୀବନ

ସାଲେପୁର: ମାଟି କାନ୍ଥ ଘରେ ବିତୁଛି ଜୀବନ । ଚାଳ ଛପର ଘରେ ରହୁଛନ୍ତି ଏକାଧିକ ପରିବାର । ବାରୋଗୋଡିଆ ଗାଁ 14 ନମ୍ବର ୱର୍ଡର  ରଞ୍ଜିତ କୁମାର ସ୍ବାଇଁ । ଭଙ୍ଗା କାନ୍ଥକୁ ଚାଳ ସହ ଘୋଡା ଯାଇଛି ପଲିଥିନ୍ । ସ୍ତ୍ରୀ ରୋଗରେ ପଡ଼ି ଚାଲିଗଲା ପରେ ଦୁଇ ପିଲାଙ୍କୁ ନେଇ ଏହି ଘରେ ଚଳୁଛନ୍ତି ରଞ୍ଜିତ । ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଘର ଖଣ୍ଡିକ ପାଇଁ ଅନେକ ଥର ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେହିପରି ଡମ୍ବରୁ ଧର ,  ମିନାକ୍ଷୀ  ଓ ନିରଜାଙ୍କ ଭଳି ଅନେକ ପରିବାର ଏବେବି ଝାଟି ମାଟି ଘରେ ଚଳୁଛନ୍ତି । ବର୍ଷା ଦିନରେ ନାନା ସମସ୍ୟା ହେଉଛି କିନ୍ତୁ ଏମାନେ ଅସହାୟ । ଘର ଖଣ୍ଡେ ପାଇଁ ଏମାନେ ପଞ୍ଚାୟତରୁ ବ୍ଲକ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି ତଥାପି କେହି ତାଙ୍କ କଥା ଶୁଣୁନଥିବା ହୋଇଛି ଅଭିଯୋଗ ।

ଏହି ୱାର୍ଡର ଅନେକ ଯୋଗ୍ୟ  ଗରିବ ହିତାଧିକାରୀ ସରକାରୀ ଘର ଖଣ୍ଡେ ପାଇବା ପାଇ 10 ରୁ 15 ବର୍ଷ ଧରି ଅପେକ୍ଷା କରିଛନ୍ତି । ତଦନ୍ତ କରି ଘର ଦିଆଯିବ ବୋଲି କହି ଦେଇ ଗଲେଣି କେତେ ସରକାରୀ ବାବୁ। କିନ୍ତୁ କୌଣସି ସମସ୍ୟାର ସମାଧାନ ହେଉନି । ଏପଟେ କେବେ ଘର ଖଣ୍ଡେ ମିଳିବ ଏହି ଆଶାରେ ଲୋକେ । ଅନ୍ୟପଟେ ସମସ୍ୟା ସମ୍ପର୍କରେ ଅବଗତ ହୋଇଛି । ତଦନ୍ତ ଚାଲିଛି ଖୁବ ଶୀଘ୍ର ଘର ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ବିଡିଓ  ।