ଅଳିଆ ବିକ୍ରି କରି ଭାରତ ସରକାର ମାଲାମାଲ: କିଣି ହେବ ୭ଟି ବନ୍ଦେ ଭାରତ ଟ୍ରେନ୍
ନନ୍ଦିଘୋଷ ବ୍ୟୁରୋ: ସରକାରୀ ଅଫିସରେ ଥିବା ପୁରୁଣା ଅଦରକାରୀ ଜିନିଷ ବଡ଼ ସମସ୍ୟା ସୃଷ୍ଟି କରିଥାନ୍ତି । ଏଗୁଡିକ ଅଫିର ବହୁ ସ୍ଥାନ ମାଡି ବସୁଥିବା ବେଳେ କାମକାର୍ଯ୍ୟରେ ବି ସମସ୍ୟା ଦେଖା ଦେଇଥାଏ । ହେଲେ ଏବେ ଭାରତ ସରକାର ଏହି ଅଳିଆକୁ ସଫା କରିବା ସହ ବିକ୍ରି ମଧ୍ୟ କରୁଛନ୍ତି । ଆଉ ଯାହା ରୋଜଗାର ହେଉଛି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । କାରଣ ସଦ୍ୟ ମିଳିଥିବା ତଥ୍ୟ ଅନୁସାରେ ଭାରତ ସରକାର ଯେତେ ଟଙ୍କାର ଅଳିଆ ବିକ୍ରି କରିଛନ୍ତି ସେଥିରେ ୭ଟି ବନ୍ଦେ ଭାରତ ଟ୍ରେନ୍ କିଣି ହେବ ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ସରକାରୀ ଅଫିସରେ ଅକ୍ଟୋବରରେ ଚାଲିଥିବା ଏକ ମାସର ସ୍ବଚ୍ଛତା ଅଭିଯାନରୁ ସରକାର ଅଦରକାରୀ ଦ୍ରବ୍ୟ ବିକ୍ରି କରି ୮୦୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଏହି ଟଙ୍କାରେ ୭ଟି ବନ୍ଦେ ଭାରତ ଟ୍ରେନ କିଣାଯାଇ ପାରିବ ବୋଲି କୁହାଯାଉଛି । ଏହି ଅଭିଯାନରେ ପ୍ରାୟ ୨୩୩ ଲକ୍ଷ ବର୍ଗ ଫୁଟ ସ୍ଥାନ ଖଶଲି କରାଯାଇଛି । ବଡ଼ କଥା ହେଲା ଗତ ୫ ବର୍ଷରେ ଏମିତି ଅଭିଯାନରେ ସରକାର ଅଳିଆ ବିକ୍ରି କରି ୪୧୦୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଯାହା ଏକ ବଡ଼ ସ୍ପେଶ ମିଶନ କିମ୍ବା ଏକାଧିକ ଚନ୍ଦ୍ରାୟାନ ମିଶନର ବଜେଟ ସହ ସମାନ ।
ଅଳିଆ ବିକ୍ରି ଉପରେ ଗୁରୁତ୍ବ
କେନ୍ଦ୍ରୀୟ କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଏହି ସଫେଇ ଅଭିଯାନ ସମୟରେ ସରକାରୀ ସଂସ୍ଥା ଓ ଏହାର ସହକାରୀ କମ୍ପାନୀରେ ୯୨୩ ଲକ୍ଷ ବର୍ଗ ଫୁଟ ସ୍ଥାନ ଖାଲି କରାଯାଇଛି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି, ଗତ ୫ ବର୍ଷରେ ବିଶେଷ ଅଭିଯାନରେ ଖାଲି ହୋଇଥିବା ସ୍ଥାନରେ ଏକ ବଡ଼ ମଲ କିମ୍ବା ଏକାଧିକ ବଡ଼ ପ୍ରୋଜେକ୍ଟ ଆରମ୍ଭ କରାଯାଇ ପାରିବ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୧ରେ ସ୍ଥିର କରିଥିଲେ ପ୍ରତିବର୍ଷ ଦୁଇ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସରକାରୀ ସଂସ୍ଥାରେ ଏହି ବିଶେଷ ସଫେଇ ଅଭିଯାନ ଚାଲିବ ।

