କମ ଓଜନ ଖାଇବା ତେଲ ପ୍ୟାକେଟ୍ ବିକ୍ରି ଓଡ଼ିଶାରେ ନିଷେଧ

ଭୁବନେଶ୍ବର: ଓଡ଼ିଶାରେ ନିଷେଧ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍ । ସବୁ ବ୍ୟବସାୟୀଙ୍କୁ ଚିଠି ଲେଖି ଜଣାଇଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଓଡ଼ିଶାରେ ବଜାରରେ କେତେକ କମ୍ପାନୀ କମ୍ ଓଜନର ଖାଇବା ତେଲ ବିକ୍ରି କରୁଛନ୍ତି ବୋଲି ପ୍ରଥମେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଯେଉଁ କମ୍ପାନୀ ଲିଟରିକିଆ ତେଲ ପ୍ୟାକେଟରେ ୯୧୦ ଗ୍ରାମ୍ ଓ ୮୭୦ ଗ୍ରାମ୍ ଓଜନ ବିଶିଷ୍ଟ ପ୍ୟାକେଟ୍ ଯୋଗାଇବେ ସେମାନଙ୍କ ତେଲକୁ ଓଡ଼ିଶାର ଗ୍ରାହକଙ୍କୁ ବିକ୍ରି କରାଯିବ । ନିର୍ଦ୍ଦେଶ ଅନୁପାଳନ ନ କଲେ ବେପାରୀ ଗଣିବେ ଆର୍ଥିକ ଜରିମାନା । ଅସାଧୁ କମ୍ପାନୀ ବିରୋଧରେ ହାଇକୋର୍ଟ ଯିବ ବୋଲି ଚେତାବନୀ ଦେଇଛି ବ୍ୟବସାୟୀ ମହାସଂଘ ।

ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ କମ ଓଜନର ଖାଇବା ତେଲ ପ୍ୟାକେଟ୍ ଯୋଗାଉଥିବା କମ୍ପାନୀଙ୍କ ପାଇଁ ବନ୍ଦ ହେଲା ଓଡ଼ିଶା ମାର୍କେଟ୍ । ଗ୍ରାହକଙ୍କ ସ୍ବାର୍ଥରେ ରାଜ୍ୟ ବ୍ୟବସାୟୀ ମହାସଂଘ ଜାରି କଲା ହୁଇପ୍ । ଏଣିକି ଲିଟରିକିଆ ପ୍ୟାକେଟରେ କେବଳ ୯୧୦ ଗ୍ରାମ କିମ୍ବା ୮୭୦ ଗ୍ରାମ ଓଜନର ତେଲ ପ୍ରସ୍ତୁତ କରୁଥିବା କମ୍ପାନୀଙ୍କ ତେଲ ବିକିବେ ଓଡ଼ିଶା ବ୍ୟବସାୟୀ ।

ଓଡ଼ିଶା ବଜାରରେ କେତେକ କମ୍ପାନୀ କମ୍ ଓଜନର ଅର୍ଥାତ ୮୭୦ ଗ୍ରାମ ଓଜନ ତଳକୁ ଖାଇବା ତେଲ ବିକ୍ରି କରୁଥିବା ନେଇ ଖବର ପ୍ରସାରଣ କରିଥିଲା । ଏବେ ଏହା ଉପରେ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ମହାସଂଘର ନିଷ୍ପତ୍ତି ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଏଣିକି ଲାଗିବ ଆର୍ଥିକ ଜରିମାନା । ପ୍ରତ୍ୟେକ ଗ୍ରାହକ ଦୋକାନରୁ ଖାଇବା ତେଲ ପ୍ୟାକେଟ୍ କିଣିବା ବେଳେ ୮୭୦ ଗ୍ରାମ ଓଜନ ଦେଖି କିଣିବାକୁ ସଂଘ ଅପିଲ କରିଛି । ଯଦି କୌଣସି ପ୍ୟାକେଟରେ ୮୫୦ କିମ୍ବା ୮୩୩ ଗ୍ରାମ୍ ଓଜନ ଲେଖାଥିବ ତା’ ହେଲେ ଖାଉଟି ଅଦାଲତରେ ଅଭିଯୋଗ କରିବା ସହିତ ରାଜ୍ୟ ବ୍ୟବସାୟୀ ମହାସଂଘର ଦୃଷ୍ଟିକୁ ଆଣିବାକୁ କୁହାଯାଇଛି । ଆଗକୁ ଏପରି କମ୍ ଓଜନର ଖାଇବା ତେଲ ପ୍ରସ୍ତୁତ କରୁଥିବା କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରାଯିବ ବୋଲି ବ୍ୟବସାୟୀ ମହାସଂଘ ଚେତାବନୀ ଦେଇଛି ।

ରାଜ୍ୟ ବ୍ୟବସାୟୀ ମହାସଂଘର ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଖାଉଟି ଓ ବିରୋଧୀ । ସମାଜବାଦୀ ପାର୍ଟି ଅଭିଯୋଗ କରିଛି ପ୍ରତ୍ୟେକ ଖାଇବା ଜିନିଷର ମାନ ଯାଞ୍ଚ କରିବା ସହିତ ନିର୍ଦ୍ଦିଷ୍ଟ ପରିମାଣର ଅଛି କି ନାହିଁ, ଦେଖିବା ଏଫ୍ଏସ୍ଏସ୍ଏଆଇର କାର୍ଯ୍ୟ । ଓଡ଼ିଶାରେ ବେଧଡ଼କ ଭାବେ କିଛି କମ୍ପାନୀ ବର୍ଷ ବର୍ଷ ଧରି ଏପରି ଅସାଧୁ କାରବାର କରୁଥିଲେ ବି କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା କ୍ରୀଡ଼ନକ ସାଜିଛି । ଲୋକେ ଠକି ହେଉଛନ୍ତି କିନ୍ତୁ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁନି ।