spot_img

Latest Posts

ବଢିଲା ବିଧାୟକ, ପୂର୍ବତନ ବିଧାୟକଙ୍କ ଦରମା, ପେନସନ ଓ ଭତ୍ତା; ଗୃହରେ ଉପସ୍ଥାପିତ ସଂଶୋଧିତ ବିଲ ୨୦୨୫ ସର୍ବ ସହମତି କ୍ରମେ ପାରିତ

ବଢିଲା ବିଧାୟକ, ପୂର୍ବତନ ବିଧାୟକଙ୍କ ଦରମା, ପେନସନ ଓ ଭତ୍ତା; ଗୃହରେ ଉପସ୍ଥାପିତ ସଂଶୋଧିତ ବିଲ ୨୦୨୫ ସର୍ବ ସହମତି କ୍ରମେ ପାରିତ

ନନ୍ଦିଘୋଷ ବ୍ୟୁରୋ: ବଢିଲା ବିଧାୟକଙ୍କ ଦରମା । ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି । ବିଧାନସଭାରେ ଶାସକ-ବିରୋଧୀ ସ୍ବର ଏକ । ଗୃହରେ ବିଲ ପାରିତ । ୨୦୧୭ ପରେ ପୁଣି ବଢିଛି ବିଧାୟକଙ୍କ ଦରମା ଓ ପେନସନ । ଶୀତ ଅଧିବେଶନର ଶେଷ ଦିନରେ ଗୃହରେ ଏ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ସ୍ବର ଏକ ହୋଇଛି  । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଓଡିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ- ୨୦୨୫ ଉପସ୍ଥାପନ କରିଥିଲେ । ସେହିପରି ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା, ଭତ୍ତା ସଂଶୋଧନ ବିଲ- ୨୦୨୫ ଓ ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍-୨୦୨୫  ଗୃହରେ ଉପସ୍ଥାପିତ ହୋଇଥିଲା ।  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ନିଷ୍ପତ୍ତି ବିଧାୟକଙ୍କ ମନରେ ନୂଆ ଆଶା ସଂଚାର କରିଛି । ବର୍ତ୍ତମାନ ବଜାର ସ୍ଥିତିକୁ ଦେଖି ଦରମା ବୃଦ୍ଧିର ଆବଶ୍ୟକତା ଅଛି ବୋଲି ବିଧାୟକମାନେ ଯୁକ୍ତି ବାଢିଥିଲେ । କିଛି ସମୟ ଭିତରେ ଉପସ୍ଥାପିତ ବିଲଗୁଡିକ ସର୍ବସମ୍ମତି କ୍ରମେ ଗୃହରେ ପାରିତ ହୋଇଥିଲା ।

କିଏ କେତେ ପାଇବେ ?

ବିଧାୟକଙ୍କ ଦରମା ବାବଦରେ ପାଇବେ ମାସିକ ୯୦ ହଜାର ଟଙ୍କା । ନିର୍ବାଚନମଣ୍ଡଳୀ ଭତ୍ତା ବାବଦରେ ତାଙ୍କୁ ମାସିକ ମିଳିବ ୭୫ ହଜାର ଟଙ୍କା । ଏହାସହିତ ଗାଡ଼ି ରକ୍ଷଣାବେକ୍ଷଣ, ପରିବହନ ଖର୍ଚ୍ଚ, ବିଦ୍ୟୁତ ବିଲ, ଯାତ୍ରା ଖର୍ଚ୍ଚ, ଚିକିତ୍ସା ଭତ୍ତା ଓ ଟେଲିଫୋନ ଭତ୍ତା ମିଶି ଜଣେ ବିଧାୟକ ମାସକୁ ପାଇବେ ୩ ଲକ୍ଷ ୪୫ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ହେଲା ୩ ଲକ୍ଷ ୭୪ ହଜାର ଟଙ୍କା । ବିଧାନସଭା ବାଚସ୍ପତି ଦରମା ଓ ଭତ୍ତା ବାବଦରେ ମାସିକ ପାଇବେ ୩ ଲକ୍ଷ ୬୮ ହଜାର ଟଙ୍କା । ଉପମୁଖ୍ୟମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୬୮ ହଜାର । ଉପବାଚସ୍ପତିଙ୍କ ମାସିକ ଦରମା ହେଲା ୩ ଲକ୍ଷ ୫୬ ହଜାର ଟଙ୍କା । ସେହିପରି ବିରୋଧୀ ଦଳ ନେତାଙ୍କ ମାସିକ ଦରମା ଓ ଭତ୍ତା ମିଶି ହେଲା ୩ ଲକ୍ଷ ୬୨ ହଜାର ଟଙ୍କା । ବିରୋଧୀ ଦଳ ନେତାଙ୍କ ସହ ସମାନ ଦରମା କ୍ୟାବିନେଟ ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ପାଇବେ ।

ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟାଙ୍କ ମାସିକ ଦରମା ହେଲା ୩ ଲକ୍ଷ ୫୬ ହଜାର ଟଙ୍କା । ସରକାରୀ ଦଳ ଉପମୁଖ୍ୟ ସଚେତକଙ୍କ ଦରମା ମାସିକ ୩ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ପୂର୍ବତନ ବିଧାୟକଙ୍କ ପେନସନ, ଚିକିତ୍ସା ଖର୍ଚ୍ଚ ଓ ଭତ୍ତାରେ ଦୁଇଗୁଣ ବୃଦ୍ଧି କରାଯାଇଛି । ପ୍ରଥମ କରି ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପୂର୍ବତନ ବିଧାୟକ ୫ ବର୍ଷ ପାଇଁ ମାସିକ ପେନସନ ବାବଦରେ ପାଇବେ ୮୦ ହଜାର ଟଙ୍କା । ଚିକିତ୍ସା ଖର୍ଚ୍ଚ ବାଦଦରେ ମିଳିବ ମାସିକ ୨୫ ହଜାର, ଯାତ୍ରା ଖର୍ଚ୍ଚ ବାବଦରେ ମାସିକ ପାଇବେ ୧୨ ହଜାର ୫୦୦ ଟଙ୍କା । ମୋଟ ପୂର୍ବତନ ବିଧାୟକଙ୍କ ପେନସନ ହେଲା ୧ ଲକ୍ଷ ୧୭ ହଜାର ୫୦୦ ଟଙ୍କା । ପାଞ୍ଚ ବର୍ଷ ପରେ ପ୍ରତିବର୍ଷ ପୂର୍ବତନ ବିଧାୟକଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସହାୟତା ଦିଆଯିବ ।

ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ବିଲ ଅନୁଯାୟୀ କୌଣସି ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଏଣିକି ପ୍ରତି ପାଞ୍ଚ ବର୍ଷକୁ ଥରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବଢିବ । ବିଧାନସଭାରେ ଆଉ ବିଲ ଆକାରରେ ନ ଆଣି ସିଧାସଳଖ ଅର୍ଡିନାନ୍ସ ଜରିଆରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି କରାଯାଇ ପାରିବ ।

Latest Posts

Don't Miss