ମାଟ୍ରିକରେ ଉତ୍ତୀର୍ଣ୍ଣ କୃତୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ। ସେମାନଙ୍କୁ ଉତ୍ସାହିତ କରିବାକୁ ଦୈନିକ ଖବର କାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ଆୟୋଜିତ ହୋଇଛି ସମ୍ବର୍ଦ୍ଧନା ଉତ୍ସବ ‘ମାଟ୍ରିକ ଉତ୍କର୍ଷ ସମ୍ମାନ’।

ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟକୁ ସମ୍ମାନୀତ କରାଯାଇଛି । ରାଜ୍ୟର ୫ଟି ବଡ଼ ସହରରେ ଚାଲିଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ବର ଜୟଦେବ ଭବନରେ ୧୦ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟକୁ ମଧ୍ୟ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତୀର୍କି, ମୋ କଲେଜରେ ଅଧ୍ୟକ୍ଷ ଆକାଶ ଦାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବାଲେଶ୍ବରରେ ୩, ସମ୍ବଲପୁରରେ ୧୦, ବ୍ରହ୍ମପୁରରେ ୩ ଏବଂ ଜୟପୁରରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।