ସୈନିକ ସ୍କୁଲ ସ୍ଥାନାନ୍ତର ଚକ୍ରାନ୍ତ ବିରୋଧରେ ତେଜିଲା ସ୍ବର: ଚନ୍ଦକା ନିକଟକୁ ସ୍କୁଲ ଉଠାଇ ନେବାକୁ ଚକ୍ରାନ୍ତ ହୋଇଥିବା ଅଭିଯୋଗ କଲା ମହାସଂଘ

1 min read

ଭୁବନେଶ୍ବର: ସୈନିକ ସ୍କୁଲ ସ୍ଥାନାନ୍ତର ଚକ୍ରାନ୍ତ ବିରୋଧରେ ତେଜିଲା ସ୍ବର । ରାସ୍ତା ଓ ଡମ୍ପିୟାର୍ଡ଼ ସମ୍ପ୍ରସାରଣ ଆଳରେ ଷଡଯନ୍ତ୍ର ଅଭିଯୋଗ । ପଦାରେ ପଡିଲା ଡବଲ ଇଞ୍ଜିନ ସରକାରର ଦୋମୁହାଁ ନୀତି । ସୈନିକ ସ୍କୁଲ ଓଡିଆ ଅସ୍ମିତାର ପରିଚୟ ନୁହଁ କି ବୋଲି ଉଠିଲା ପ୍ରଶ୍ନ । ଭୁବନେଶ୍ବରରୁ ସୈନିକ ସ୍କୁଲ ସ୍ଥାନାନ୍ତରଣ ଚର୍ଚ୍ଚା ପରେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିଛନ୍ତି ରାଜ୍ଯ ଅବିଭାବକ ମହାସଂଘ, ସୈନିକ ସ୍କୁଲ ଅଭିଭାବକ ସଙ୍ଘ ଓ ସ୍ଥାନୀୟ ବୁଦ୍ଧିଜୀବୀ । ରାସ୍ତା ଓ ଡମ୍ପିଂୟାର୍ଡ଼ ସମ୍ପ୍ରସାରଣ ପାଇଁ ଚଞ୍ଚକତା କରି ସହରରୁ ୩୦ କିମି ଦୁର ଚନ୍ଦକା ନିକଟକୁ ସ୍କୁଲ ଉଠାଇ ନେବାକୁ ଚକ୍ରାନ୍ତ ହୋଇଥିବା ଅଭିଯୋଗ କରିଛି ମହାସଂଘ । ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ରହିଛି । କର୍ପୋରେଟ ହାଉସଙ୍କୁ ଜମି ପ୍ରଦାନ ପାଇଁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କିଛି ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ଏପରି ଦୁର୍ଭାଗ୍ୟ ଜନକ ନିଷ୍ପତ୍ତି ନିଆଯାଇଥିବା ମହାସଂଘ ଅଭିଯୋଗ କରିଛି ।

ଭୁବନେଶ୍ୱରର ଗଡ଼କଣରେ ରାଜ୍ୟ ତଥା ଦେଶର ଗର୍ବ ଗୌରବ ଭାବେ ୧୯୬୧ ରୁ ପ୍ରତିଷ୍ଠିତ ସୈନିକ ସ୍କୁଲ ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋକ୍ତୃଷ୍ଟ ଯୋଗଦାନ କରି ଆସୁଛି । ବର୍ତ୍ତମାନର ଉପରାଷ୍ଟ୍ରପତି ମଧ୍ୟ ଏହି ଅନୁଷ୍ଠାନର ଛାତ୍ର l ଓଡିଆ ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ସହ ସେନା ବାହିନୀରେ ଯୋଗ ଦେଇପାଇବେ ସେହି ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ଅନୁଷ୍ଠାନ ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଥିଲା । ସୈନିକ ସ୍କୁଲ ନାମରେ ଆବଣ୍ଟିତ ହୋଇଥିବା ୨୨୪ ଏକର ଜମିରୁ ୩୦ ଏକର ଜମି ଡମ୍ପିଂୟାର୍ଡ ପାଇଁ ଦିଆଯାଇଥିଲା । ବଳକା ୧୯୪ ଏକର ମଧ୍ଯରୁ ଏବେ ୧୪୨ ଏକର ଜମିରେ ସୈନିକ ସ୍କୁଲ ଚାଲୁଛି । ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତ୍ତିକୁ ନ ଦବାଇଲେ ଆଗାମୀ ଦିନରେ ଜୋରଦାର ବିରୋଧ କରିବା ସହିତ ରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ମହାସଂଘ।

ନଜର ପକାନ୍ତୁ