ପ୍ରେରଣା ଦେଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି କେଇ ପଦ କଥା, ସ୍ମୃତି ସାଉଁଟିଲେ ଚେସ୍ ତାରକା ସାଇନାଙ୍କ ବାପା

1 min read

ଭୁବନେଶ୍ୱର, ୨୦୧୨ ମସିହା ମେ ମାସ । ଗଣେଶ୍ୱର ଜେନାଙ୍କ ଫୋନକୁ ଆସିଲା କଲ୍ । କଲ୍ ଟି ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରୁ । ଗଣେଶ୍ୱରଙ୍କୁ ଶୁଭେଚ୍ଛା ସହ ସିଏମଓ ଅଧିକାରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣଙ୍କ ପ୍ରତିଭାବାନ ଝିଅକୁ ସମ୍ମାନିତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଆପଣଙ୍କୁ ସଚିବାଳୟସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିବାକୁ ପଡ଼ିବ । ବାସ୍ ଏଇ କେଇ ପଦ କଥା । ଗଣେଶ୍ୱର ଏବଂ ତାଙ୍କ ପରିବାରର ପ୍ରତିଟି ସଦସ୍ୟଙ୍କ ମୁହଁରେ ହସ ଫୁଟାଇ ଦେଇଥିଲା ।

ଏହା ପରେ ଝିଅ ସାଇନା ସାଲୋନିକାଙ୍କୁ ନେଇ ଗଣେଶ୍ୱର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ । ଚେସ୍ ବା ସତରଞ୍ଜର ପାଲିରେ କୁନି ହାତରେ ପ୍ରତିପକ୍ଷକୁ ମାତ୍ ଦେଇଥିବା ସାଇନାକୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିନିଟିଏ କିମ୍ବା ଦୁଇ ମିନିଟ୍ ନୁହେଁ, ମୁଖ୍ୟମନ୍ତ୍ରୀ ସାଇନା ସହ ବିତାଇଥିଲେ ୨୦ ମିନିଟ୍  । ସାଇନା ବି ଉତ୍ସାହିତ ଲାଗୁଥିଲା । ଧୀରେ ଧୀରେ ଅତି ଶାଳିନତାର ସହ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଥିଲା । ହେଲେ ମୁଖ୍ୟମନ୍ତ୍ରୀ ଅତି ସାଧାରଣ ଲୋକଙ୍କ ପରି ତା ସହିତ ବ୍ୟବହାର କରୁଥିଲେ । ସାଇନାକୁ ପଚାରି ବୁଝିଥିଲେ ଚେସ୍ ଖେଲୁଥିବାର କିଛି ନିୟମ । ଏହି ନିୟମକୁ ସେ କ୍ରୀଡ଼ା କ୍ଷେତ୍ରରେ କିପରି ବିନିଯୋଗ କରେ । ଅବସର ସମୟରେ କ’ଣ କରିବାକୁ ଭଲ ପାଏ । ବାହାରକୁ ବିଶେଷ କରି ବିଦେଶକୁ ଚେସ୍ ଖେଳିବାକୁ ଯିବା ସମୟର ଅନୁଭୂତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଖାଲି ଖେଳ କିମ୍ବା ପାଠପଢା ଆଲୋଚନାରେ ସୀମିତ ନ ଥିଲା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ । କିଛି କିଛି ମିଠା କଥା ଏବଂ ମଜାଳିଆ କଥା କହି ସାଇନାକୁ କରିଥିଲେ ଉତ୍ସାହିତ ।

ଝିଅ ସାଇନା ଏବଂ ମୁଖ୍ୟମନ୍ତ୍ରୀ ବାର୍ତ୍ତାଳାପକୁ ପ୍ରତ୍ୟକ୍ଷରେ ଦେଖିଥିବା ଲୋକ ହିଁ, ନବୀନ ପଟ୍ଟନାୟତକଙ୍କ ପିଲାମାନଙ୍କ ପ୍ରତି ଥିବା ଭଲ ପାଇବାକୁ ବୁଝି ପାରିବ ବୋଲି ଗଣେଶ୍ୱର ନିଜର ଏକ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଥିଲେ । ଫେରିବା ବେଳେ ଗଣେଶ୍ୱରଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଅବସର ସମୟରେ ସାଇନାକୁ ନେଇ ବିନ୍ଦୁସାଗର ନିକଟବର୍ତ୍ତୀ ଏକାମ୍ର କାନନରେ ବୁଲାଇ ଆଣିବ । ସେଠାରେ ସାଇନା ବହୁ ଔଷଧୀୟ ବୃକ୍ଷ ସମ୍ପର୍କରେ ଜାଣିପାରିବ । ଏଠାରେ ଉଲ୍ଲେଖଯୋଗ୍ୟ, ସେହି କାନନଟି ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିକଶିତ ହୋଇ ଆସୁଛି । କେବଳ ଏତିକି ନୁହେଁ, ସାଇନାକୁ ବିଦାୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ । ଝିଅ ତୁମେ ମୋ ଠାରୁ କ’ଣ ? ବାସ୍ ଏହାର ଉତ୍ତରରେ ସାଇନା କହିଥିଲେ… ତୁମ ଆର୍ଶୀବାଦ  । ବାସ୍ କୁନି ମୁହଁରେ କେଇପଦ କଥା, ମୁଖ୍ୟମନ୍ତ୍ରୀଙ୍କୁ ବହୁତ ପଲ୍ଲବିତ କରିଥିଲା । ସାଇନାର ପିଠି ଥାପୁଡେଉ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ଆର୍ଶୀବାଦ ତୁମ ସହ ସବୁ ବେଳେ ଅଛି ଆଉ ରହିବ । You will be a Champion All the way ।

ନିଆରା ନବୀନଙ୍କ ଏଇ କେଇ ପଦ କଥା । ପରବର୍ତ୍ତୀ ସମୟରେ ଯାଦୁକରୀ ଶବ୍ଦ ରୂପରେ ସତେ ଯେମିତି କାମ କରିଥିଲା । ସେହି ସାକ୍ଷାତ ପରେ ସାଇନାଙ୍କ କ୍ୟାରିୟର ଗ୍ରାଫ୍ ଯେମିତି ଉର୍ଦ୍ଧ୍ୱଗାମୀ ହୋଇଥିଲା । ଏହା ପରେ ସାଇନା ଚଢିଥିଲା ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ । ଜିତିଥିଲା ଚେସର ରାଜ୍ୟସ୍ତରୀୟ ଚମ୍ପିୟାନସିପ, ଏହା ପରେ ନ୍ୟାସନାଲ ସ୍କୁଲ ଚେସରେ ମଧ୍ୟ ପ୍ରଦର୍ଶନ କରିଥିଲା ନିଜର ଦକ୍ଷତା । କେବଳ ସେତିକି ନୁହେଁ, ସାଇନା ସେହି ସମୟରେ ନିଜ ବର୍ଗରେ ଏସିଆନ ସ୍କୁଲ ଚେସ୍ ଚମ୍ପିୟାନ ହୋଇଥିଲା । ତାହା ପୁଣି ସମ୍ପୂର୍ଣ୍ଣ ଅପରାଜେୟ ହୋଇ । ଏହି ସବୁ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ହେଲେ ବାଜି ହାରି ନ ଥିଲା ସାଇନା । ପରବର୍ତ୍ତୀ ସମୟରେ ସାଇନା ଜିତିଥିଲା କମନୱେଲ୍ଥ ଚେସ୍ ଚମ୍ପିୟାନସିପ୍ । ନିଜ ବୟସ ବର୍ଗରେ ସେ ହୋଇଥିଲା ଅପ୍ରତିଦ୍ୱନ୍ଦ୍ୱୀ ଚେସ ତାରକା ।

ଏତେ ସବୁ ସଫଳତା ପରେ ଯେମିତି ଆଉ ଟିକେ ଖୁସି ବାକି ଥିଲା । ଏହି ସାକ୍ଷାତକାର ଠିକ୍ ୭ ବର୍ଷ ପରେ ଗତ ୨୦୧୯ ଫେବୃୟାରୀରେ ସାଇନାଙ୍କୁ ମିଳିଥିଲା ସମ୍ମାନ । ତାଙ୍କୁ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏଥିସହିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ସେୟାର କରିଥିଲେ ସାଇନା । ସତରେ ଅଦୃଶ୍ୟଶକ୍ତି ପରି କାମ କରିଥାଏ ଏହି ପ୍ରେରଣା ଆଉ ଗୁରୁଜନଙ୍କ ଆର୍ଶୀବାଦ । ଯାହା ସାଇନାଙ୍କ କ୍ଷେତ୍ରରେ ଘଟିଥିଲା ।

Leave a Reply