ଧିରେ ଧିରେ ଖୋଲିବାରେ ଲାଗିଛି ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାର ରହସ୍ୟ !

1 min read

ନନ୍ଦିଘୋଷ ବ୍ୟୁରୋ : ସୈଫଙ୍କ ଘରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସଂପର୍କୀୟଙ୍କ ହେଉଛି ଅଭିଯୁକ୍ତ। ସଂପୃକ୍ତ କର୍ମଚାରୀଙ୍କ ସହ ଅନେକ ସମୟରେ ସୈଫଙ୍କ ଘରକୁ ଯାଇଥିଲା। ସଦଗୁରୁ ସରଣ ଆପାର୍ଟମେଣ୍ଟର ୧୧ ନମ୍ବର ମହଲାରେ ରହୁଥିଲେ ସୈଫଙ୍କ ପରିବାର। ଆପାର୍ଟମେଣ୍ଟରେ ଥିଲା ଦୁଇଟି ପ୍ରବେଶ ଓ ପ୍ରସ୍ଥାନ ପଥ। ମୁଖ୍ୟ ପ୍ରବେଶ ପଥରେ ଦୁଇଟି ସିକ୍ୟୁରିଟୀ ଗାର୍ଡ ଥିବାବେଳେ ପଛପଟ ରାସ୍ତା ଦେଇ ପଶିଥିଲା ଆକ୍ରମଣକାରୀ। ପଛପଟ ପ୍ରସ୍ଥାନ ପଥରେ  ଲାଗିଥିବା ଲାଇଲନ ଜାଲ କାଟି ଘର ଭିତରକୁ ପ୍ରଶିଥିଲା। ମୁଖ୍ୟ ସିଡି କିମ୍ବା ଲିଫ୍ଟରେ ନଯାଇ ଅଭିଯୁକ୍ତ ଫାୟାର ଏକଜିଟ୍ ସିଡ଼ିକୁ ବାଛିଥିଲା। ପାହାଚରେ ଯାଇ ସୈଫଙ୍କ ଫ୍ଲାଟରେ ପଶିଥିଲା। ସିଡିରେ ଯାଉଥିବା ଦୃଶ୍ୟ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ସୈଫଙ୍କ ସାନ ପୁଅ ଜାହାଙ୍ଗୀରଙ୍କ ରୁମକୁ ପଶି ବାଥରୁମକୁ ଯାଇ ଲୁଚି ରହିଥିଲା। ଡିନର୍ ପରେ   ଜାହାଙ୍ଗୀରଙ୍କ ସହ ତାଙ୍କ ସହାୟିକା ଏଲିୟାମା ରୁମକୁ ପଶିବା ପରେ ବାଥରୁମରେ ଅଭିଯୁକ୍ତର ଛାଇ ଦେଖିଥଲେ। ଏହାପରେ ସେଠାକୁ ଯିବାବେଳେ ଭିତରୁ ବାହାରି ଜାହାଙ୍ଗୀର ପାଖକୁ ଆସିଥିଲା ଅଭିଯୁକ୍ତ। ଜାହାଙ୍ଗୀରକୁ କେୟାରଟେକର ହଟାଇବାକୁ ଚେଷ୍ଟା କରିବାବେଳେ ଅଭିଯୁକ୍ତ ୧ କୋଟି ଦରକାର କହିଥିଲା। କେୟାରଟେକର ସହ ଅଭିଯୁକ୍ତର ଧସ୍ତାଧସ୍ତି ଓ ପାଟିତୁଣ୍ଡ ଶୁଣି ସେହି ରୁମରେ ଥିବା ଅନ୍ୟ ଜଣେ ସହାୟକ ଆର୍ଲାମ ବଜାଇଥିଲେ। ଏହାପରେ ସୈଫ ଜାହାଙ୍ଗୀରଙ୍କ ରୁମରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିବା ଉଦ୍ୟମ କରିଥିଲେ। ଧସ୍ତାଧସ୍ତିରେ ଅଭିଯୁକ୍ତ ପାଖରେ ଥିବା ଛୁରୀରେ ସୈଫଙ୍କ ପିଠି, ପେଟ ଓ ବେକକୁ ଆଘାତ କରିଥିଲା। ଛୁରୀଟି ସୈଫଙ୍କ ମେରୁଦଣ୍ଡ ନିକଟବର୍ତ୍ତୀ ହୋଇ ଭାଙ୍ଗି ରହି ଯାଇଥିଲା।

ସୈଫଙ୍କୁ ଯେଉଁ ଛୁରୀରେ ଆକ୍ରମଣ ହୋଇଥିଲା ତାହାର ଫଟୋ ଆସିଛି। ଅଢେଇ ଇଂଚ ଲମ୍ବ ରହିଛି ଏହି ଧାରୁଆ ଛୁରୀ। ଅପରେସନ କରି ଡାକ୍ତର ଏହି ଛୁରୀକୁ ବାହାର କରିଛନ୍ତି। ଦୁର୍ବୃତ୍ତ ପାଖରେ ଛୁରୀ ସହ ଅପରେସନରେ ବ୍ଯବହୃତ ହେକ୍ସାବ୍ଲେଡ୍ ଥିବା ମଧ୍ୟ ସୈଫଙ୍କ ସହାୟିକା କହିଛନ୍ତି। ସେପଟେ ଏହି ଛୁରୀ ଆଉ ଦୁଇ ମିଲିମିଟର ଭିତରକୁ ପଶିଥିଲେ ସ୍ଥିତି ଗମ୍ଭୀର ହୋଇଥାନ୍ତା ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ସୈଫଙ୍କୁ ଏବେ ICUରୁ ଅନ୍ୟ ଏକ ସ୍ପେଶାଲ ରୁମକୁ ସ୍ଥାନାନ୍ତର କରାଯାଇଛି।ସୁସ୍ଥ ହେବାକୁ ଆଉ ସପ୍ତାହେ ସମୟ ଲାଗିବ। ଏବେ ଠିକରେ ଚଲାବୁଲା କରି ପାରୁଛନ୍ତି ସୈଫ। ମେରୁଦଣ୍ଡରୁ ବାହାରୁଥିବା ତରଳ ପଦାର୍ଥ ଧିରେ ଧିରେ ଠିକ ହେଉଥିବା କହିଛନ୍ତି ଡାକ୍ତର। ସେପଟେ ଅଭିଯୁକ୍ତକୁ ନେଇ ପଚରାଉଚରା କରୁଛି ମୁମ୍ବାଇ ପୋଲିସ।