ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଜଣେ ଅଧ୍ୟାପକ ଏବେ ଦିନ ମଜୁରିଆ, ଲକ୍‌ଡାଉନ୍‌ ଯୋଗୁଁ ଚାଲିଗଲା ଚାକିରୀ…

ପୁଣେ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ବାସିନ୍ଦା ନବନାଥ ଗୋରେ । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅହମ୍ମଦନଗର ଜିଲ୍ଲାର ଏକ କଲେଜରେ ସେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ । ସବୁ ଠିକ୍‌ ଠାକ୍‌ ଚାଲିଥିଲା । ହେଲେ ଏହି ମହାମାରୀ କରୋନା ନବନାଥଙ୍କ ଜୀବନରେ ଆଣିଦେଲା ସୁନାମୀ । ଜଣେ ଅଧ୍ୟାପକରୁ ସେ ପାଲଟିଗଲେ ଦିନ ମଜୁରିଆ । ଅଧ୍ୟାପକ ଭାବେ ପିଲାଙ୍କୁ ପାଠ ପଢ଼ାଇ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କରୁଥିବା ନବନାଥଙ୍କ ଜୀବନ ଏବେ ଅନ୍ଧାରରେ । କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର ଚୁକ୍ତିଭିତ୍ତିକ ଅଧ୍ୟାପକ ଚାକିରୀ ଚାଲିଗଲା । ଶ୍ରମିକ ଭାବେ କାର୍ଯ୍ୟ କରି ସେ ଏବେ ନିଜର ପେଟ ପୋଷୁଛନ୍ତି ।

ସାଙ୍ଗଲି ଜିଲ୍ଲାର ଜାଟ ତହସିଲ ଅନ୍ତର୍ଗତ ଏକ ଛୋଟ ଗାଁ ନିଗଡିର ମୂଳବାସିନ୍ଦା ନବନାଥ । ୨୦୧୮ରେ ତାଙ୍କୁ ସାହିତ୍ୟ ଏକାଡେମୀ ଯୁବ ଲେଖକ ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ଏହି ପୁରସ୍କାର ଏଭଳି ସମୟରେ କି ସାନ୍ତ୍ୱନା ଦେଇପାରିବ ? 

ଚାକିରି ହରାଇବାର ବାସ୍ତବତାକୁ ସ୍ୱୀକାର କରି ନବନାଥ ପରିବାରର ପ୍ରତିପୋଷଣ ପାଇଁ କୃଷି ଶ୍ରମିକ ଭାବେ କାମ କରିବା ଆରମ୍ଭ କଲେ । ନବନାଥ କୋଲହାପୁର ଜିଲ୍ଲାର ଶିବାଜୀ ବିଶ୍ୱବିଦ୍ୟାଳୟରୁ ମରାଠୀରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ମାଷ୍ଟର ଡଗ୍ରୀ ପାଠ ପଢ଼ିବା ସମୟରେ ସେ ତାଙ୍କର ପ୍ରଥମ ଉପନ୍ୟାସ ‘ଫେସାଟି’ ଲେଖିବା ଆରମ୍ଭ କରିଥିଲେ । ଏହି ପୁସ୍ତକ ୨୦୧୭ରେ ପ୍ରକାଶିତ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରରେ ନବନାଥଙ୍କୁ ପୁରସ୍କୃତ କରାଯାଇଥିଲା ।

 

ନବନାଥ କହିଛନ୍ତି, ‘ପୁରସ୍କାର ପାଇବା ପରେ ଅହମ୍ମଦନଗର ଜିଲ୍ଲାର ଏକ କଲେଜରୁ ତାଙ୍କୁ ଚାକିରି ଅଫର ଦିଆଯାଇଥିଲା । ସେଠାରେ ସେ ଅଧ୍ୟାପକ ଭାବେ କାମ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ଆଉ ମାସିକ ୧୦ ହଜାର ଟଙ୍କା ରୋଜଗାର ମଧ୍ୟ କରୁଥିଲେ । ସେ ଆହୁରି କହିଛନ୍ତି, ‘ମୋ ବାପା ଚଳିତ ବର୍ଷ ଫେବୃଆରୀରେ ଆରପାରିକୁ ଚାଲିଗଲେ । ତେଣୁ ଘରେ ଥିବା ତାଙ୍କର ୫୦ ବର୍ଷୀୟ ମା ଓ ଦିବ୍ୟାଙ୍ଗ ଭାଇର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ କାନ୍ଧକୁ ଚାଲି ଆସିଲା ।

ସୂଚନାଯୋଗ୍ୟ, ପିତାଙ୍କ ଦେହାନ୍ତ ପରେ ନବନାଥ ଘରକୁ ଯାଇଥିଲେ । ଆଉ ସେଠାରେ କାମ ସରୁ ସରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଗଲା । ତେଣୁ ସେ ଆଉ କଲେଜକୁ ଫେରିପାରିନଥିଲେ । ଆଉ ଏପଟେ ତାଙ୍କ ଚାକିରି, ଚୁକ୍ତିଭିତ୍ତିକ ଥିଲା । ତେଣୁ କାମ ନକଲେ ଦରମା ନାହିଁ ।

ପୁରା ପରିବାରରେ ନବନାଥ ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ଉପରେ ଘରର ଦାୟିତ୍ୱ । ଲକ୍‌ଡାଉନ୍‌ ଯୋଗୁଁ ଚାକିରି ଚାଲିଯିବା ପରେ ଘରର ଗୁଜୁରାଣ ମେଣ୍ଟାଇବା କଷ୍ଟ ସାଧ୍ୟ ହେଲା । ତେଣୁ ସେ ଗାଁରେ ଛୋଟ ମୋଟ କାମ କରିବା ଆରମ୍ଭ କଲେ । ଏବେ ସେ ସମ୍ପୂର୍ଣ୍ଣ ଭାବେ ଜଣେ କୃଷୀ ଶ୍ରମିକ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ।

ନବନାଥ ଆହୁରି କହିଛନ୍ତି ଯେ, ସେ କାମ ଖୋଜିବା ପାଇଁ ଅନେକ ଦୂର ଚାଲିଯାଆନ୍ତି । ଦିନ ସାରା କାମ କରିବା ପରେ ତାଙ୍କୁ ୪୦୦ ଟଙ୍କା ମଜୁରୀ ମିଳେ । ସେ ତାଙ୍କ କଲେଜ ବେଳର କଥା ମନେ ପକାଇ କହିଛନ୍ତି ଯେ, ପାଠ ପଢ଼ୁଥିବା ବେଳେ ମଧ୍ୟ ତାଙ୍କ ଘରକୁ ସେ ଟଙ୍କା ପଠାଉଥିଲେ । ସେ ଏକ ଏଟିଏମ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରି ଘରକୁ ଟଙ୍କା ଦେଉଥିଲେ । ନବନାଥଙ୍କ ଲଖିଥିବା ଉପନ୍ୟାସରେ ଠିକ୍‌ ଏମିତି ଜଣେ ଯୁବକର କାହାଣୀ ଲେଖା ଅଛି । ଯେଉଁଥିରେ ଯୁବକ ଜଣକ ଅନେକ ବାଧାବିଘ୍ନକୁ ପାର୍‌ କରି ନିଜ ପାଠ ପଢ଼ାକୁ ଶେଷ କରିଛି ।

Leave a Reply