ଦିଲ୍ଲୀ ନିକ୍କି ଯାଦବ ହତ୍ୟା ମାମଲା, ୨୦୨୦ ଅକ୍ଟୋବରରେ ମନ୍ଦିରରେ ବିବାହ କରିଥିଲେ ନିକ୍କି ଓ ସାହିଲ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀ ନିକ୍କି ଯାଦବ ହତ୍ୟା ଘଟଣା । ପଦାକୁ ଆସିଲା ଆଉ ଏକ ତଥ୍ୟ । ଗତ ୨୦୨୦ ଅକ୍ଟୋବରରେ ନୋଏଡାର ଏକ ମନ୍ଦିରର ବିବାହ କରିଥିଲେ ନିକ୍କି ଓ ଅଭିଯୁକ୍ତ ସାହିଲ ଗେହଲଟ । ତେବେ ଏହି ବିବାହକୁ ସାହିଲର ପରିବାର ଗ୍ରହଣ କରି ନଥିଲେ ଏବଂ ଅନ୍ୟ ଜଣେ ମହିଳାଙ୍କ ସହ ସାହିଲର ବିବାହ ଠିକ୍ କରିଥିଲେ । ଦୀର୍ଘ ଦିନ ଧରି ଏ ସମ୍ପର୍କରେ ଅବଗତ ନଥିଲେ ନିକ୍କି । ନିକ୍କିଙ୍କୁ ହତ୍ୟା କରି ଫ୍ରିଜ ଭିତରେ ରଖିବା ପରେ ବିଳମ୍ବିତ ରାତିରେ ଘରକୁ ଯାଇ ବିବାହ କରିଥିଲା ସାହିଲ । ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ବୟଫ୍ରେଣ୍ଡ ସାହିଲ ଗେହଲଟର ବାପାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଲିଭ ଇନ୍ ପାର୍ଟନର ଭାବେ ରହିଥିବା ନିକ୍କି ଓ ସାହିଲଙ୍କ ମଧ୍ୟରେ ବିବାଦ କାରଣରୁ ନିକ୍କିଙ୍କ ଗଳାକୁ ଏକ ଚାର୍ଜିଂ କେବଲ ଜରିଆରେ ଚିପି ହତ୍ୟା କରିଥିଲା ସାହିଲ । ପରେ ନିକ୍କିଙ୍କ ଶବକୁ ଏକ ଫ୍ରିଜ୍ ଭିତରେ ରଖିଥିଲା ସାହିଲ । ଗତ ମଙ୍ଗଳବାର ୧୪ ତାରିଖରେ ନିକ୍କିଙ୍କ ଶବକୁ ଜବତ କରିଥିଲା ବୋଲିସ । ଏହି ଘଟଣାରେ ସାହିଲର ବାପାଙ୍କ ସମେତ ଅନ୍ୟ ୩ ଜଣ ପରିବାର ସଦସ୍ୟଙ୍କୁ ବି ପୋଲିସ ଗିରଫ କରିଛି । ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସ୍ପେଶାଲ ସିପି ରବୀନ୍ଦ୍ର ଯାଦବ । ତେଣେ ହରିୟାଣାସ୍ଥିତ ନିକ୍କିଙ୍କ ବାସଭବନରେ ଜାରି ରହିଛି ନୀରବତା । ଅପରାଧୀଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ନିକ୍କିଙ୍କ ବାପା ସୁନୀଲ ଯାଦବ ।