ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ : ଯେବେ ବଚ୍ଚନ ପରିବାରର ଦୀପାବଳି ପାର୍ଟିରେ ଯୋଗ ଦେଇ ଜଣଙ୍କ ଜୀବନ ବଞ୍ଚାଇଥିଲେ କିଙ୍ଗ୍ ଖାନ୍…

ନନ୍ଦିଘୋଷ ବ୍ୟୁରୋ: ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି । ଆଲୋକର ପର୍ବ ବୋଲାଉଥିବା ଏହି ଉତ୍ସବ ସବୁଠି ଖୁସିରେ ପାଳନ କରାଯାଇଥାଏ । ତେବେ ବଲିଉଡ କଳାକାରଙ୍କ ଦିଓ୍ବାଲୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ସେମାନଙ୍କ ଜୀବନଶୈଳୀ ସାଙ୍ଗକୁ ସାଜସଜ୍ଜା ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାଏ । ତେବେ ବଚ୍ଚନ ପରିବାର ବଲିଉଡର ବେଶ ଜଣାଶୁଣା । ଅମିତାଭ ବଚ୍ଚନଙ୍କ ପରିବାର ପକ୍ଷରୁ ପ୍ରତିବର୍ଷ ଦୀପାବଳି ବେଶ ଧୁମଧାମରେ ପାଳନ କରାଯାଇଥାଏ । କ୍ରୀଡା, ରାଜନୀତି ଠାରୁ ଆରମ୍ଭ କରି ବଲିଉଡର କଳାକର ଏବଂ ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ଏହି ଭବ୍ୟ ଉତ୍ସବରେ ଯୋଗ ଦେଇଥାନ୍ତି ।

୨୦୧୯ ମସିହାରେ ବଚ୍ଚନ ପରିବାର ପକ୍ଷରୁ କରାଯାଇଥିବା ଦୀପାବଳି ଉତ୍ସବରେ ଯୋଗ ଦେଇଥିଲେ କିଙ୍ଗ୍ ଖାନ ଶାହାରୁଖ ଖାନ୍ । ତେବେ ସମସ୍ତେ ବେଶ ହସଖୁସିରେ ପାଳନ କରୁଥିବାବେଳେ ଐଶର୍ଯ୍ୟାରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନାଙ୍କ ଲେହେଙ୍ଗାରେ ଦୀପରୁ ନିଆଁ ଲାଗି ଯାଇଥିଲା । ସମସ୍ତେ ଭୟ କରିଯାଇଥିଲେ । ରେଶମ ଲେହେଙ୍ଗାଟି ଜୋରରେ ଜଳୁଥିବାବେଳେ ପାଖକୁ ଯିବାକୁ ସମସ୍ତେ ଭୟ କରିଥିଲେ । ମାତ୍ର ଶାହାରୁଖ ଖାନ ନିଜର ଉପସ୍ଥିତ ବୁଦ୍ଧି ବଳରେ ତାଙ୍କ ଜ୍ୟାକେଟ୍ ଖୋଲି ନିଆଁକୁ ଆୟତ୍ତ କରିଥିଲେ । ଏପରିକି ନିଆଁରେ ଶାହାରୁଖ ମଧ୍ୟ ପୋଡ଼ି ହୋଇଥିଲେ । ମାତ୍ର ସେ ଏକଥା କାହାକୁ ଜଣାଇନଥିଲେ । ପରଦିନ ଫିଲ୍ମ ନିର୍ମାତା ଫରହାନ ଖାନ୍ ଏନେଇ ଏକ ଟ୍ବିଟ୍ କରିଥିଲେ । ଆଉ ଶାହାରୁଖ ଖାନଙ୍କ ବେଶ ପ୍ରଂଶସା କରିଥିଲେ ।