ସଚିନଙ୍କ ସହ ପଙ୍ଗା ସୋଏବଙ୍କୁ ପଡ଼ିଲା ଭାରି, ସେହଓ୍ବାଗ ପଢ଼ାଇଲେ ବନ୍ଧୁ ଚର୍ଚ୍ଚାର ପାଠ

1 min read

ନୂଆଦିଲ୍ଲୀ: ବିଶ୍ବକପରେ ପାକିସ୍ତାନକୁ ଭାରତ ୭ ଓ୍ବିକେଟରେ ହରାଇବା ପରେ ସାରା ଦେଶରେ ଉତ୍ସବର ମାହୋଲ । ପିଲାଠୁ ବୟସ୍କ ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକେ ଭାରତ ବିଜୟର ଉତ୍ସବ ମନାଉଛନ୍ତି । ଆଉ ଏଥିରୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର କେମିତି ବା ବାଦ ପଡ଼ିବେ । ଭାରତ ବିଜୟରେ ଆତ୍ମ ବିଭୋର ସଚିନ୍ ରାଓଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତାରଙ୍କୁ ମୁହଁତୋଡ ଜବାବ ଦେବା ସହ ଖୁସି ମନାଇଛନ୍ତି । କେବଳ ସେତିକି ନୁହେଁ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ସୋଏବଙ୍କୁ ଅତିଥ୍ୟର ପାଠ ପଢ଼ାଇଛନ୍ତି ।

ସୂଚନାଯୋଗ୍ୟ, ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସୋଏବ ଭାରତ-ପାକିସ୍ତାନ ମଧ୍ୟରେ ୧୯୯୯ରେ ହେଳା ଯାଇଥିବା ଏକ ମ୍ୟାଚର ଫଟୋ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିଲେ । ଫଟୋଟି ସୋଏବ ସଚିନଙ୍କୁ ଶୂନ୍ୟରେ ଆଉଟ କରିବା ପରେ ସେଲିବ୍ରେସନ ବେଳର ଥିଲା । ସୋଏବ କ୍ୟାପସନରେ ଲେଖିଥିଲେ, ‘କାଲି ଏମିତି କିଛି କରିବାର ଅଛି ତ ଶାନ୍ତ ରୁହ (ଥଣ୍ଡ ରଖ୍) ।’

ଭାରତୀୟ ଟିମର ବିଜୟ ପରେ ସଚିନ ସୋଏବଙ୍କୁ ଏହାର ଜବାବ ଦେଇଛନ୍ତି । ସେ ଲେଖିଛନ୍ତି, ‘ସାଙ୍ଗ, ତୁମ ପରାମର୍ଶ ପାଳନ କଲି, ସବୁକିଛି ଶାନ୍ତ ରଖିଲି ।‘

ଭାରତର ବିଜୟ ଓ ସଚିନଙ୍କ ଏହି ଟ୍ବିଟ ପରେ ସୋଏବ ବ୍ୟାକଫୁଟକୁ ଚାଲି ଆସିଥିଲେ । ସୋଏବ ସଚିନଙ୍କ ଟ୍ବିଟର ପ୍ରତି ଉତ୍ତର ଦେଇ ଲେଖିଥିଲେ, ‘ ସାଙ୍ଗ, ଆପଣ ଏହି ଖେଳର ଶୋଭା ବଢ଼ାଉଥିବା ସର୍ବକାଳୀନ ଖେଳାଳି ଓ ଏହାର ସବୁଠାରୁ ବଡ଼ ବ୍ରାଣ୍ଡ ଆମ୍ବାସଡର । ଆମ ବନ୍ଧୁତ୍ବପୂର୍ଣ୍ଣ ମଜା କେବେ ବି ବଦଳିବନି ।’

ପାକିସ୍ତାନୀ ଖେଳାଳିଙ୍କ ଖରାପ ପ୍ରଦର୍ଶନକୁ ନେଇ ସେହଓ୍ବାଗ ବି ସମାଲୋଚନା କରିବାକୁ ପଛାଇ ନାହାନ୍ତି । ସେହଓ୍ବାଗ ଟ୍ବିଟ କରି ଲେଖିଛନ୍ତି, ‘ଆମ ଆତିଥ୍ୟର କଥା ଅଲଗା । ସବୁ ପାକିସ୍ତାନ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ଦିଆଗଲା । ଏଠି ସମସ୍ତଙ୍କ ଯତ୍ନ ନିଆଯାଏ ।’