ସଚିନ@୪୭: ଜାଣନ୍ତୁ ସଚିନଙ୍କ ନାଁରେ ଥିବା କିଛି ଦମଦାର ରେକର୍ଡ ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି

1 min read

ମୁମ୍ବାଇ- ଆଜି ସଚିନ ତେନ୍ଦୁଲକରଙ୍କ ୪୭ତମ ଜନ୍ମଦିନ ।  ଦେଶର କୋଟି କୋଟି କ୍ରିକେଟ୍ ପ୍ରେମୀ ଯେଉଁମାନେ ସଚିନ ତେନ୍ଦୁଲକରଙ୍କୁ ଭଗବାନ ବୋଲି ଭାବନ୍ତି, ତାଙ୍କ ପାଇଁ ଏପ୍ରିଲ୍ ୨୪ କୌଣସି ଉତ୍ସବଠାରୁ କମ୍ ନୁହେଁ। ସଚିନ ତେନ୍ଦୁଲକର ଆଜିର ଦିନ ୧୯୭୩ ରେ ଜନ୍ମ ହୋଇଥିଲେ ।

ଦୁନିଆର ସର୍ବଶ୍ରେଷ୍ଠ ସର୍ବକାଳୀନ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରାଯାଉଥିବା ସଚିନ ରମେଶ ତେନ୍ଦୁଲକର ବହୁତ କମ୍ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ଏକ ସମୟରେ ସବୁଠୁ କମ ବୟସରେ ଟେଷ୍ଟ କ୍ରିକେଟ୍ ରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବାର ରେକର୍ଡ କରିଥିଲେ । ସଚିନ ତେନ୍ଦୁଲକର ହେଉଛନ୍ତି ଦେଶର ପ୍ରଥମ ଖେଳାଳି ଯିଏକି ଭାରତ ରତ୍ନ ପାଇଛନ୍ତି।

ସେ ନିଜର ଏତେ ବଡ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ଅନେକ ରେକର୍ଡ ବ୍ରେକ ହୋଇସାରିଲାଣି | କିନ୍ତୁ ସଚିନଙ୍କ ଅନେକ ରେକର୍ଡ ଅଛି ଯାହା ଭାଙ୍ଗିବା ଅସମ୍ଭବ । ବର୍ତ୍ତମାନ ସମୟରେ ବିରାଟ କୋହଲି, ଷ୍ଟିଭ ସ୍ମିଥଙ୍କ ପରି କ୍ରିକେଟରମାନେ ସେହି ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ତେବେ ଆସନ୍ତୁ ନଜର ପକାଇବା ସଚିନଙ୍କ ଏଭଲି କିଛି ଦମଦାର ରେକର୍ଡ ଉପରେ-

ସଚିନ ତେନ୍ଦୁଲକର ୨୦୦ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି-

ସଚିନ୍ ୧୯୮୯ ରେ କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ | ୨୦୧୩ ରେ ସେ କ୍ରିକେଟ୍ ଦୁନିଆରୁ ବିଦାୟ ନେଇଥିଲେ। ଏହି ୨୪ ବର୍ଷର କ୍ରିକେଟ କ୍ୟାରିୟରରେ ସେ ୨୦୦ ଟି ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି | ସଚିନଙ୍କ ଏହି ରେକର୍ଡ ପଛରେ ରିକି ପଣ୍ଟିଂ ଏବଂ ଷ୍ଟିଭ୍ ୱାଗ୍ ମଧ୍ୟ ଅଛନ୍ତି । ଉଭୟ ୧୬୮ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ଟେଷ୍ଟ କ୍ରିକେଟରେ ୫୧ ଟେଷ୍ଟ ଶତକ ହାସଲ କରିଛନ୍ତି ସଚିନ-

ସଚିନ ତେନ୍ଦୁଲକର ୨୦୦ ଟେଷ୍ଟ ମ୍ୟାଚରେ ୫୧ଟି ଶତକ ଖେଳିଛନ୍ତି। ଏହି ଟପ୍ ୧୦ ତାଲିକାର ସମସ୍ତ ଖେଳାଳି କ୍ରିକେଟରୁ ଅବସର ନେଇସାରିଛନ୍ତି ।  ବିରାଟ କୋହଲି ୨୭ ଏବଂ ଷ୍ଟିଭ ସ୍ମିଥ ୨୬ ଶତକ ହାସଲ କରିଛନ୍ତି। ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ତାଙ୍କୁ ଅନେକ ଟେଷ୍ଟ ମ୍ୟାଚ୍ ଖେଳି ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ |

୬ ଥର କ୍ରିକେଟ୍ ବିଶ୍ୱକପ୍ ଖେଳିଛନ୍ତି-

ସଚିନ ତେନ୍ଦୁଲକର ୬ ଥର ବିଶ୍ୱକପ ଖେଳିଛନ୍ତି। ଏପରି କୀର୍ତ୍ତିମାନ କରିବା ଅତ୍ୟନ୍ତ କଷ୍ଟକର । ଅଧିକାଂଶ ଖେଳାଳି କେବଳ ୩-୪ ଥର ବିଶ୍ୱକପ ଖେଳିବାକୁ ସୁଯୋଗ ପାଆନ୍ତି | ଏଭଳି ପରିସ୍ଥିତିରେ ସଚିନ ତେନ୍ଦୁଲକର ୬ ଥର ବିଶ୍ୱକପ ଖେଳିଥିଲେ। ବିରାଟ କୋହଲି ଏପର୍ଯ୍ୟନ୍ତ ୩ ଥର ବିଶ୍ୱକପ ଖେଳିଛନ୍ତି।

କ୍ରିକେଟ୍ ରେ ୩୪ ହଜାରରୁ ଅଧିକ ରନ୍-

ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ୩୪ ହଜାର ରନ୍ ସଂଗ୍ରହ କରିଛନ୍ତି। ଯାହା ଭାଙ୍ଗିବା ବହୁତ କଷ୍ଟକର | ତାଙ୍କର ଏହି ରେକର୍ଡ ପାଖାପାଖି କୌଣସି ଖେଳାଳି ନାହାଁନ୍ତି | ବିରାଟ କୋହଲି ଏପର୍ଯ୍ୟନ୍ତ ୨୧,୯୦୧ ରନ୍ ସଂଗ୍ରହ କରିଛନ୍ତି। ଯଦି ତାଙ୍କୁ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ପଡିବ, ତେବେ ତାଙ୍କୁ କ୍ରମାଗତ କ୍ରିକେଟ୍ ଖେଳିବାକୁ ପଡିବ |

Leave a Reply