ରାଜସ୍ଥାନ ରାଜନୈତିକ ସଂକଟ : ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ୍

1 min read

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟ ମଧ୍ୟରେ ନୂଆ ମୋଡ ଆସିଛି । କଂଗ୍ରେସ ଓ ସଚିନ ପାଇଲଟଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସଚିନଙ୍କ ସହ ବିଶ୍ୱେନ୍ଦ୍ର ସିଂହ ରମେଣ ମିଣାଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି ।

ବିଜେପି ଫ୍ଲୋର ଟେଷ୍ଟ ଦାବି କରିବ !
ସଚିନ ପାଇଲଟଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ପରେ ରାଜ୍ୟ ବିଜେପି ପକ୍ଷରୁ ବୈଠକ ଡକା ଯାଇଛି । ବୈଠକରେ ଆଗାମୀ ରଣନୀତି ବାବଦରେ ନିଷ୍ପତ୍ତି ନିଆଯିବ । ବୈଠକରେ ବିଜେପି ରାଜ୍ୟ ସଭାପତି ସତିଶ ପୁନିଆ, ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ,ବିରୋଧୀ ଦଳ ଉପନେତା ଚନ୍ଦ୍ରଶେଖର ଉପସ୍ଥିତ ଥିଲେ । କୁହାଯାଉଛି ଯେ, ବିଜେପି ଫ୍ଲୋର ଟେଷ୍ଟ୍ ଦାବି କରିପାରେ ।

ସଚିନ ପାଇଲଟ ତାଙ୍କ ସହ ୨୨ ବିଧାୟକ ଥିବା ଦାବି କରୁଛନ୍ତି । ଅନ୍ୟପକ୍ଷରେ ଅଶୋକ ଗହଲୋତ ତାଙ୍କ ସହ ସଂଖ୍ୟାଗରିଷ୍ଠତାଠାରୁ ଅଧିକ ବିଧାୟକ ଥିବା ଦାବି କରୁଛନ୍ତି । ତେବେ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଜେପି ଫ୍ଲୋର ଟେଷ୍ଟ୍ ଦାବି କରିବାକୁ ନେଇ ସନ୍ଦେହ ମଧ୍ୟ ରହିଛି । କାରଣ ପାଇଲଟଙ୍କ ସହ ୨୨ ବିଧାୟକ ଥିବା ଦାବିକୁ ବିଜେପି ଭରସା କରିପାରୁନାହିଁ ।

ସଚିନ ମୁଖ୍ୟମନ୍ତ୍ରୀ ପଦ ଚାହୁଁଥିଲେ

କଂଗ୍ରେସ ସଚିନଙ୍କ ସହ ବୁଝାମଣା କରିବାକୁ ଚାହୁଁଥିଲା କିନ୍ତୁ କୁହାଯାଉଛି ଯେ, ସେ ମୁଖ୍ୟମନ୍ତ୍ରୀ ପଦ ଉପରେ ଦାବି ରଖିଥିଲେ । କିନ୍ତୁ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଦେବା ପରେ ବୁଝାମଣା ରାସ୍ତା ବନ୍ଦ ହୋଇଥିଲା ।

Leave a Reply