ସଚିନଙ୍କ କଂଗ୍ରେସକୁ ଆଶ୍ୱାସନା, ମୁଁ ଯେପର୍ଯ୍ୟନ୍ତ ଅଛି ସରକାର ସୁରକ୍ଷିତ ଅଛି

ଜୟପୁର: ରାଜସ୍ଥାନ ରାଜନୈତିକ ଡ୍ରାମାର କ୍ଲାଇମାକ୍ସ ସିନ୍ ଆଜି ବିଧାନସଭାରେ ଅଭିନିତ ହେଉଛି । ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ସହ ଶେଷ ଦୃଶ୍ୟ ଶେଷ ଅଙ୍କ ଅନୁଷ୍ଠିତ ହେଉଛି । ଏଥିରେ କାଲି ଯିଏ ନିକମ୍ମା ଥିଲେ ଆଜି ସେ ଅଶୋକ ଗହଲୋତଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଦିଲ୍ ମିଳିନି ଡିଲ୍ ହୋଇଛି ନ୍ୟାୟରେ ଆଜି ବିଧାନସଭାରେ ଅଶୋକ ଓ ସଚିନଙ୍କ ମଧ୍ୟରେ ନମସ୍କାର ଆଦାନ ପ୍ରଦାନ ହୋଇଥିଲା । କିନ୍ତୁ କେହି କାହାକୁ ଆଲିଙ୍ଗନ କରିନଥିଲେ । ଅବଶ୍ୟ କାଲି ପର୍ଯ୍ୟନ୍ତ ଅଶୋକଙ୍କୁ ଟାର୍ଗେଟ୍ କରୁଥିବା,ସରକାର ପାଖରେ ସଂଖ୍ୟାବଳ ନଥିବା କହୁଥିବା ସଚିନ ପାଇଲଟ୍ ଆଜି କହିଛନ୍ତି ମୁଁ ଯେପର୍ଯ୍ୟନ୍ତ ଅଛି ସରକାର ସେ ପର୍ଯ୍ୟନ୍ତ ସୁରକ୍ଷିତ । ରାଜନୀତିରେ କେମିତି ଘଡିକେ ଘୋଡା ଛୁଟେ ତାର ଏହା ଯଦି ଗୋଟିଏ ବଡ ଉଦାହରଣ,ତେବେ ଅନ୍ତିମ ମଧ୍ୟ ନୁହେଁ ।

rajasthan

ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସଜବାଜ କରି ଆସିଥିଲା ।  ବିଧାନସଭା ଆରମ୍ଭ କାଳରେ ବିଜେପି ବିଧାୟକ ପୁର୍ଣ୍ଣବଳରେ ଉପସ୍ଥିତ ଥିଲେ । କିନ୍ତୁ କଂଗ୍ରେସର ସବୁ ବିଧାୟକ ଆସି ପାରିନଥିଲେ । ଦାଉ ସାଧିଥିଲା ବର୍ଷା । ଯେଉଁ ହୋଟେଲରେ କଂଗ୍ରେସ ବିଧାୟକ ନଜରବନ୍ଦ ଥିଲେ ସେଠାରୁ ବାହାରିବା ସେମାନଙ୍କ ପାଇଁ ସହଜ ନଥିଲା । କାରଣ ବର୍ଷା ଜୟପୁରକୁ ପାଣି ପାଣି କରିଥିଲା । କଂଗ୍ରେସ ବିଧାୟକଙ୍କୁ ନେଇ ଯାଉଥିବା ଦୁଇଟି ବସ ମଧ୍ୟରୁ ଗୋଟିଏ ବିଧାନସଭାରେ ପହଞ୍ଚି ପାରିନଥିଲା । ଗୋଟିଏ ପହଞ୍ଚିଲା । ଏମିତିରେ ପୁଣି କଂଗ୍ରେସ ସରକାରର ତାରଣହାର ସାଜିଥିଲେ ବାଚସ୍ପତି ସିପି ଜୋଷୀ । ବିଧାନସଭାକୁ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି ।

ତେବେ ବିଜେପିକୁ ତଗଡା ଝଟକା ଆରମ୍ଭରୁ ମିଳିଥିଲା । ବିଜେପି ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବସିଥିଲା । କିନ୍ତୁ ଗହଲୋତ ପ୍ରଥମେ ଚାଲ ଚଳାଇଥିଲେ । ଆରମ୍ଭରରୁ ସେ ଆସ୍ଥା ପ୍ରସ୍ତାବ ରଖିଥିଲେ । ଫଳରେ ବିଜେପିକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସୁଯୋଗ ହିଁ ମିଳିନଥିଲା । ଗହଲୋତ ଦାବି କରିଥିଲେ ମୋ ସରକାର ସହଜରେ ବହୁମତ ସାବ୍ୟସ୍ତ କରିପାରିବ ।

rajasthan rain

ପାଖାପାଖି ମାସେ ଧରି ଚାଲିଥିବା ରାଜନୈତିକ ଡ୍ରାମର ଅନ୍ତିମ ଦୃଶ୍ୟରେ ଆଜି ସଚିନ ପାଇଲଟଙ୍କ ଦମଦାର ଡାଇଲଗ୍ ଡେଲିଭରି ହୋଇଥିଲା । ସଚିନ ନିଜକୁ ସରକାରର ତାରଣହାର ଭାବେ ପେସ୍ କରିବାରେ କିଛି ମଧ୍ୟ ହେଳା କରିନଥିଲେ । କହିଥିଲେ ‘ ମୁଁ ଆସି ଦେଖିଲି ମୋ ଆସନ ସଭା ଶେଷ ଧାଡିରେ ଅଛି । ମୁଁ ରାଜସ୍ଥାନରୁ ଆସେ, ଯାହା ପାକିସ୍ତାନ ସୀମାକୁ ଲାଗିଛି । ସୀମାରେ ସବୁଠୁ ଶକ୍ତିଶାଳୀ ସିପାହୀଙ୍କୁ ମୁତୟନ କରାଯାଏ । ମୁଁ ଯେପର୍ଯ୍ୟନ୍ତ ଏଠାରେ ବସିଛି ସରକାର ସେପର୍ଯ୍ୟନ୍ତ ସୁରକ୍ଷିତ ଅଛି’’

ତେବେ ପ୍ରଶ୍ନ ହେଲା ଅଶୋକ ଗହଲୋତଙ୍କୁ ସମର୍ଥନର ଆଶ୍ୱାସନା ଭିତରେ କ’ଣ ରହିଛି ପ୍ରଛନ୍ନ ଧମକ ? ମୁଁ ଥିବା ପର୍ଯ୍ୟନ୍ତର ଅର୍ଥ କ’ଣ ଅଶୋକ ଗହଲୋତଙ୍କୁ ଏବେ ସଚିନଙ୍କ ଭୟ ଭିତରେ ରହିବାକୁ ପଡିବ ? କାରଣ ତାଙ୍କ ପଛରେ ଗାନ୍ଧି ଫ୍ୟାମିଲିର ଆର୍ଶିବାଦ ରହିଛି ?

ରାଜସ୍ଥାନ ରାଜନୀତି ଏହି ଡ୍ରାମାରୁ କିନ୍ତୁ ଆଉ ଗୋଟିଏ ସନ୍ଦେଶ ଯାଇଛି । ତାହା ହେଲା ସଚିନ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୁହନ୍ତି କି ଅଶୋକ ଗହଲୋତ୍ କମଲନାଥ ନୁହନ୍ତି । ତେଣୁ ରାଜସ୍ଥାନ ମରୂଭୁମିରେ ଅପରେଶନ କମଳ ଫୁଟିବା ଆଗରୁ ହିଁ ମଉଳି ଗଲା ।

 

Leave a Reply