ପାଇଲଟଙ୍କୁ ଗେହଲଟଙ୍କ ଆକ୍ଷେପ, କହିଲେ ଗଦ୍ଦାର କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ

1 min read

ଜୟପୁର: ବଢ଼ିଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ । ଏପରିକି ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ହେବାର  ସ୍ୱପ୍ନ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ଗେହଲଟ । ସେ କହିଛନ୍ତି ଜଣେ ଗଦ୍ଦାର କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଏଆଇସିସି ସଭାପତି ନିର୍ବାଚନ ପ୍ରସଙ୍ଗରେ ରାଜସ୍ଥାନ ରାଜନୀତି ଅସ୍ଥିରତା ବଳୟ ଆଡକୁ ଚାଲିଯାଇଥିବାବେଳେ ଗେହଲଟଙ୍କୁ ସମର୍ଥନ କରି ପ୍ରାୟ ୯୦ ବିଧାୟକ ଇସ୍ତଫା ଧମକ ଦେଇଥିଲେ ।

ଏହି ବିଦ୍ରୋହ ପରେ ପାଇଲଟ ବାରମ୍ବାର ଦିଲ୍ଲୀ ଯାଇଥିଲେ । ଗେହଲଟ କହିଛନ୍ତି- ପାଇଲଟଙ୍କୁ କଂଗ୍ରେସ ହାଇକମାଣ୍ଡ କେବେ ବି ମୁଖ୍ୟମନ୍ତ୍ରୀ କରିବେ ନାହିଁ । ଯେଉଁ ନେତାଙ୍କ ନିକଟରେ ୧୦ ବିଧାୟକ ନାହାନ୍ତି ସେ କିପରି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ଗେହଲଟ ।

୨୦୨୦ରେ ପାଇଲଟ କରିଥିବା ବିଦ୍ରୋହର ସ୍ମୃତି ଏବେ ବି ଜୀବିତ ରହିଛି । ଜଣେ ପିସିସି ସଭାପତିଙ୍କ ନେତୃତ୍ବରେ ଦେଶରେ ପ୍ରଥମ ଥର ଲାଗି ବିଦ୍ରୋହ ହୋଇଥିଲା ବୋଲି କହିଛନ୍ତି ଗେହଲଟ । ସେପଟେ ମଧ୍ୟପ୍ରଦେଶରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ପାଇଲଟ ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ।