ବାଲେଶ୍ୱର : ପାଣି ଦେଲେନି, ପାଣିରେ ପଡ଼ିଲା ୨୦ ଲକ୍ଷ । ସବୁଜ ସୁନ୍ଦର ବାଲେଶ୍ବର ଯୋଜନାରେ ହରିଲୁଟ୍ । ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଦିନକୁ ଦିନ ରାଜ୍ଯରେ ବଢ଼ିବାରେ ଲାଗିଛି ପ୍ରଦୂଷଣ । ଏହାକୁ ନଜରରେ ରଖି ବାଲେଶ୍ବରକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରଯାଇ ରାସ୍ତାକଡ଼ ଓ ଡିଭାଇଡର ଗୁଡ଼ିକରେ ଗଛ ଲଗାଯାଉଛି । ହେଲେ ନାଁକୁ ମାତ୍ର ବାଉଁଶ ବାଡ଼ ଦେଇ ଭୁଲିଯାଉଛି ଠିକା ସଂସ୍ଥା । ରକ୍ଷଣାବେକ୍ଷଣ ଅଭାବରୁ ଦିନ କେଇଟାରେ କେଉଁଠି ଗାଈ ଖାଇଯାଉଛନ୍ତି ତ କେଉଁଠି ଗଛସବୁ ଶୁଖି ମରିଯାଉଛି । ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗଛ ଲାଗିଥିଲାବେଳେ ଏଥିରେ ବ୍ଯାପକ ଦୁର୍ନୀତି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ଏକ୍ ପେଡ୍ ମାଆ କେ ନାମରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ସହରର ବିଭିନ୍ନ ଡିଭାଇଡରରେ ଦାମୀ ଗଛ ସବୁ ଲଗାଯାଇଛି । ସହରର ଓଟି ରୋଡ୍, ଫାଣ୍ଡି ଛକ, ବିବେକାନନ୍ଦ ମାର୍ଗ, ହସପିଟାଲ ରୋଡ୍, ପୁରୁଣା ଷ୍ଟାଡିୟମ, ପୋଲିସ ଲାଇନ ଛକ ଆଦି ସ୍ଥାନରେ ଏବଂ ଡିଭାଇଡର୍ରେ ହୋଇଛି ବୃକ୍ଷ ରୋପଣ । ଏହାର ରକ୍ଷଣାବେକ୍ଷଣ ପାଇଁ ୪ ଟି ସ୍ବୟଂସହାୟକ ଗୋଷ୍ଠୀକୁ ଦିଆଯାଇଛି ଦାୟିତ୍ବ । ଦୁଇ ବର୍ଷ ପାଇଁ ଗଛର ଦାୟିତ୍ବ ନେବା ସହ ପ୍ରତି ଗ୍ରୁପ୍ ପାଇଁ ୫ ଲକ୍ଷ ଟଙ୍କା ବଜେଟ୍ ରହିଛି । ସେପଟେ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୌରପରିଷଦ କାର୍ଯ୍ୟକାରୀ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଟଙ୍କା ଖର୍ଚ୍ଚ କରି ଗଛ ଲାଗୁଛି, ହେଲେ ସାମାନ୍ଯ ତୃଟି ଯୋଗୁଁ ପାଣିରେ ପଡୁଛି ଲକ୍ଷ ଲକ୍ଷ ଟଙ୍କା ।

