କରୋନା କଟକଣାରେ ପାଳିତ ହେଉଛି ‘ସାବିତ୍ରୀ ବ୍ରତ’

ଭୁବନେଶ୍ୱର: ସାବିତ୍ରୀ ଅମାବାସ୍ୟା ଅବସରରେ ଖାଁ ଖାଁ ରହିଛି ମନ୍ଦିର। ନୂଆ ଶାଢୀ ଆଉ ଶଙ୍ଖା ଧରି ଦେବାଳୟ ଯାଉନାହାନ୍ତି ସାବିତ୍ରୀ । କୋଭିଡ ସଂକ୍ରମଣ ଯୋଗୁଁ ଘରେ ରହି ପୂଜା କରିବା ସହ ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା।

ମହାମାରୀ କରୋନା କାରଣରୁ ଘରେ ରହି ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପୁରାଣ ଅନୁସାରେ ଏହିଦିନ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ସାବିତ୍ରୀଙ୍କ ନିଷ୍ଠାପର ପ୍ରାର୍ଥନା ଆଗରେ ମୃତ୍ୟୁର ଦେବତା ନତମସ୍ତକ ହୋଇ ସତ୍ୟବାନଙ୍କୁ ନୂଆ ଜୀବନ ଦେଇଥିଲେ ।

ବିବାହ ପରେ ହିନ୍ଦୁ ନାରୀଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ବଡ ପର୍ବ। ନୂଆ ଶାଢୀ ସାଙ୍ଗକୁ ନୂଆ ଶଙ୍ଖା, ସିନ୍ଦୁର ଓ ବିଭିନ୍ନ ଫଳମୂଳ ପୂଜା କରାଯାଇଥାଏ। ତେବେ ଗତ ବର୍ଷ ଭଳି ଚଳିତଥର ମଧ୍ୟ ସାବିତ୍ରୀକୁ ଫିକା କରିଛି କରୋନା। ସଂକ୍ରମଣ କାରଣରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ଯାହା ଫଳରେ ଘରେ ରହି ମହିଳା ମାନେ ବ୍ରତ ପାଳୁଛନ୍ତି ।

ସେହିପରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଯାଜପୁରରେ ମଧ୍ୟ ସଧବା ନାରୀ ମାନେ ଘରେ ରହି ପାଳୁଛନ୍ତି ସାବିତ୍ରୀ ବ୍ରତ । ଚଳିତ ବର୍ଷ କରୋନା କଟକଣା ଯୋଗୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ମା ବିରଜା ମନ୍ଦିର, ବରାହ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପ୍ରଶାସନ କଟକଣା ଲଗାଇ ଥିବାରୁ ମନ୍ଦିର ପରିସର ଖାଁ ଖାଁ ରହିଛି । ଅନ୍ୟ ପଟେ କୋଭିଡ କଟକଣା ରହିଥିବାରୁ ପ୍ରଶାସନର ନିଷ୍ପତିକୁ ମହିଳାମାନେ ସ୍ୱାଗତ କରିଛନ୍ତି ।

Leave a Reply