ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପି ମେୟର ପ୍ରାର୍ଥୀ ହେଲେ ସବିତା ସୁଆର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ମେୟର ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ସବିତା ସୁଆର ହେଲେ ବିଜେପିର ମେୟର ପ୍ରାର୍ଥୀ । ପୂର୍ବରୁ ସଂଘମିତ୍ରା ଦଳାଇଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ତେବେ ଏଯାଏଁ ବ୍ରହ୍ମପୁର ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ । ଅନ୍ୟପକ୍ଷରେ ଆଜି କଟକ ମହାନଗର ନିଗମ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ସିଏମସି ପାଇଁ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି ବିଜେପି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ବିଜେପି ପୂର୍ବରୁ କଟକ ମେୟର ପଦବୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା କରିଥିଲା । କଂଗ୍ରେସ ପରେ ଶନିବାର ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ସେହିଭଳି ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ୍ ଓ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ ।