୪ ଦିନିଆ ଋଷ ଗସ୍ତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର

Jaishankar

ନୂଆଦିଲ୍ଲୀ: ଚୀନ୍ ସହ ବିବାଦ ଲାଗି ରହିଥିବା ବେଳେ ୪ ଦିନିଆ ଋଷ ଗସ୍ତର ଯାଉଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ସେଠାରେ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ବୈଠକରେ ସାମିଲ ହେବେ । ମସ୍କୋ ଯିବା ପୂର୍ବରୁ ସେ ଇରାନରେ କିଛି ସମୟ ଅଟକିବେ ବୋଲି ଜଣାପଡିଛି । ସେଠାରେ ସେ ଇରାନ୍ ବିଦେଶ ମନ୍ତ୍ରୀ ଜଓ୍ୱାଦ୍‌ ଜରିଫଙ୍କୁ ଭେଟିପାରନ୍ତି । ମସ୍କୋରେ ଜୟଶଙ୍କର ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ୍‌ ୟିଙ୍କ୍‌ ସହିତ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି । ମସ୍କୋରେ ଆୟୋଜିତ ଏସ୍‌ସିଓର ବିଦେଶ ମନ୍ତ୍ରୀଙ୍କ ସହ ବୈଠକରେ ସାମିଲ ହେବାକୁ ଯାଉଛନ୍ତି ଜୟଶଙ୍କର ।

ତେବେ ଗସ୍ତ ପୂର୍ବରୁ ଏଲଏସିରେ ସ୍ଥିତି ଗମ୍ଭୀର ଥିବା କହିଛନ୍ତି ବିଦେଶ ମନ୍ତ୍ରୀ । ବିବାଦ ସମାଧାନ ପାଇଁ ରାଜନୈତିକ ସ୍ତରରେ ଆଲୋଚନା ଚାଲିଥିବା ସେ କହିଛନ୍ତି । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ ପ୍ରତିପକ୍ଷ ଜେନେରାଲ ଓ୍ୱେଇ ଫେଙ୍ଗହିଙ୍କ ସହ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ଆଲୋଚନା କରିସାରିଛନ୍ତି ।

ସୂଚନାଯୋଗ୍ୟ, ଏବେ ପୁଣି ଭାରତ ଓ ଚୀନ୍ ମଧ୍ୟରେ ବିବାଦ ବଢ଼ିଛି । ୪୫ ବର୍ଷ ପରେ ପୂର୍ବ ଲଦାଖର ଏଲଏସିରେ ଗୁଳିମାଡ଼ ହୋଇଛି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ ଚୀନ୍ ସେନା ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ତେବେ ଭାରତୀୟ ସେନା ପକ୍ଷରୁ ଓ୍ୱାର୍ଣ୍ଣିଂ ସଟ୍ ଫାୟାର କରାଯାଇଥିଲା । ଫଳରେ ଚୀନ୍ ସେନା ପଛକୁ ହଟିଥିବା ନେଇ ସୂଚନା ମିଳିଛି । ସେଠାରେ ଚୀନ୍ ସେନା ମଧ୍ୟ ଗୁଳିମାଡ଼ କରିଥିବା ଜଣାପଡିଛି । ଭାରତୀୟ ଯବାନ ଏହାର ମୁହଁତୋଡ୍ ଜବାବ ଦେଇଛନ୍ତି । ଗୁଳିମାଡ଼ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି । ତେବେ ପୂରା ଘଟଣା ନେଇ ଭାରତକୁ ବଦନାମ କରିବାକୁ ଉଦ୍ୟମ କରିଛି ଚୀନ୍ ।

ସୋମବାର ବିଳମ୍ବିତ ରାତିରେ ଭାରତୀୟ ସେନା ଏଲଏସି ଅତିକ୍ରମ କରିବା ସହ ଗୁଳିମାଡ଼ କରିଥିବା ନେଇ ଚୀନ୍ ଅଭିଯୋଗ ଆଣିଛି । ଆଲୋଚନା ପାଇଁ ଉଦ୍ୟମ କରୁଥିବା ପିଏଲଏର ବର୍ଡର ପାଟ୍ରୋଲ ସୁରକ୍ଷାକର୍ମୀଙ୍କ ଉପରକୁ ଓ୍ୱାର୍ଣ୍ଣିଂ ସଟ୍ ଚଳାଇଥିଲା । ଫଳରେ ପିଏଲଏ ପକ୍ଷରୁ ଏହାର ଜବାବ ଦିଆ ଯାଇଥିବା ଚୀନ୍ ପକ୍ଷରୁ କୁହାଯାଇଛି । ଭାରତ ପକ୍ଷରୁ ଦ୍ୱିପାକ୍ଷିକ ବୁଝାମଣାର ଉଲ୍ଲଂଘନ କରାଯାଇଥିବା ପିଏଲଏର ଓ୍ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ଝାଙ୍ଗ ସୁଇ ଅଭିଯୋଗ ଆଣିଛନ୍ତି ।

ଲଦାଖର ପେଙ୍ଗୋଙ୍ଗ ସୋ’ ନିକଟରେ ସେନପାଓ ପାହାଡ଼ ଉପରେ ଉଭୟ ସେନା ମୁହାଁମୁହିଁ ହୋଇଛନ୍ତି । ଏହାପରେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଲଦାଖ ଏଲଏସିରେ ଅଧିକ ସଂଖ୍ୟକ ସେନା ମୁତୟନ କରାଯାଇଛି । କାଲା ଟପ୍, ହେଲମେଟ୍ ଟପ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଭାରତ କବ୍‌ଜା କରିବା ପରଠୁ ବ୍ୟତିବ୍ୟସ୍ତ ହୋଇପଡିଛି ଚୀନ୍ ।

Leave a Reply