ନିଜ ସୀମାରେ ବୋମାମାଡ କଲା ଋଷ, ବିସ୍ଫୋରଣରେ ୪ ମୃତ
1 min read
ମସ୍କୋ: ନିଜ ସୀମାରେ ଋଷର ଆକ୍ରମଣ । ବର୍ଷାଧିକ କାଳ ଧରି ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଥିବା ବେଳେ ଭୁଲ ବଶତଃ ଆଜି ନିଜ ଅଞ୍ଚଳରେ ଏକ ବୋମାମାଡ଼ କରିଛି ଋଷ । ଲଢୁଆ ବିମାନରୁ ବୋମାମାଡ କରାଯାଇଥିବା ବେଳେ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ବେଲଗୋରଦ ସହର । ସହର ମଝିରେ ୬୫ ଫୁଟର ଏକ ଗାଢ଼ ହୋଇଯାଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏନେଇ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ୟୁକ୍ରେନ ସୀମାକୁ ଲାଗି ରହିଥିବା ବେଲଗୋରଦ ସହର ଉପରେ ଆକ୍ରମଣ ଯୋଗୁ ଅନେକ ବିଲ୍ଡିଂ ଧ୍ୱସ୍ତ ହୋଇଯାଇଛି । ଏକାଧିକ ଗାଡ଼ି ମୋଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବେଲଗୋରଦ ମେୟର ସୋସିଆଲ ମିଡିଆରେ ସହର କ୍ଷୟକ୍ଷତିର ଫଟୋ ପୋଷ୍ଟ କରିଛନ୍ତି । ଘର ଭାଙ୍ଗି ଯାଇଥିବା ଲୋକମାନଙ୍କୁ ଅସ୍ଥାୟୀ ଭାବେ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ୨୦୨୨ ଫେବ୍ରୁଆରୀରୁ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ସୀମା ପାର୍ଶ୍ବରେ ଥିବା ଋଷର ଏହି ସହରରେ ଅନେକ ଥର ଗୁଳିଗୋଳା ବର୍ଷା ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାସହ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି ।