ଜାରି ରହିଛି ଆକ୍ରମଣ, ଆଜଭସ୍ତଲ ଷ୍ଟିଲପ୍ଲାଣ୍ଟକୁ ଘେରାବନ୍ଦୀ

1 min read

ନୂଆଦିଲ୍ଲୀ: ୟୁକ୍ରେନର ପୋର୍ଟସିଟି ମାରିୟୁପୋଲ ଋଷ କବଜାକୁ ଯିବା ପରେ ବି ଜାରି ରହିଛି ହମଲା । ପ୍ଲାଣ୍ଟ ଭିତରେ ୨ ହଜାର ୟୁକ୍ରେନୀୟ ସୈନ୍ୟ ଥିବାରୁ ଏହି ପ୍ଲାଣ୍ଟକୁ ଘେରାବନ୍ଦୀରେ ରଖାଯିବ ବୋଲି ଋଷ କହିଛି । ଏହା ସହ ସେଠାରେ ଅପରେସନ ଜାରି ରହିବ ବୋଲି ସୂଚନା ମିଳିଛି । ଆଜଭସ୍ତଲ ଷ୍ଟିଲପ୍ଲାଣ୍ଟରେ ଫସିଥିବା ସହସ୍ରାଧିକ ନାଗରିକଙ୍କ ନିକଟରେ ଖାଦ୍ୟ ପାନୀୟ ନଥିବାରୁ ସେମାନଙ୍କ ଦୁର୍ଦ୍ଦଶା ବଢିଛି ।

ମାରିୟୁପୋଲକୁ ଋଷ କବଜା କରିବା ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାସହ ସେ ୟୁକ୍ରେନ ଲାଗି ୮୦୦ ନିୟୁତ ଡଲାରର ସାମରିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜରେ ରହିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହାଓଜିର, ୧ ଲକ୍ଷ ୪୪ ହଜାର ରାଉଣ୍ଡ ଗୁଳିଗୋଳା, ବିମାନ, ରାଡାର ଇତ୍ୟାଦି । ୟୁକ୍ରେନକୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ବିଭିନ୍ନ ପୂର୍ବ ୟୁରୋପୀୟ ରାଷ୍ଟ୍ର ସହ ଚୁକ୍ତି କରିଛି ଜର୍ମାନୀ । ଯୋଗା ଯିବାକୁ ଥିବା ଅସ୍ତ୍ର ମଧ୍ୟରେ ରହିଛି T-72 ଟ୍ୟାଙ୍କ, ସାଞ୍ଜୁଆ ଯାନ ଇତ୍ୟାଦି । ଏହି ଟ୍ୟାଙ୍କର ପରିଚାଳନା ପାଇଁ ୟୁକ୍ରେନୀୟ ମାନଙ୍କୁ ତାଲିମ ଦିଆଯିବ ।

ୟୁକ୍ରେନ ରାଜଧାନୀ କିଭରୁ ଋଷ ସୈନ୍ୟ ହଟିବା ପରେ ପଦାକୁ ଆସୁଛି ଲୋମହର୍ଷକ ଚିତ୍ର । ବିଭିନ୍ନ ସ୍ଥାନରୁ ଉଦ୍ଧାର ୧ ହଜାରରୁ ଅଧିକ ଶବକୁ ବିଭିନ୍ନ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ଏହି ଶବର ଫରେନସିକ ପରୀକ୍ଷା କରାଯାଉଛି । ଅଧିକାଂଶ ଶବର ହାତଗୋଡ଼ ବନ୍ଧା ଯାଇଥିବା ସୂଚନା ମିଳିଛି । ସେପଟେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଓ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ଉପରେ ଟ୍ରାଭେଲ ବ୍ୟାନ ଲାଗୁ କରିଛି ଋଷ । ଏହାସହ ଅନେକ ପ୍ରମୁଖ ଆମେରିକୀୟ ଓ କାନାଡ଼ା ନାଗରିକଙ୍କ ବିରୋଧରେ ବି ଏହି କଟକଣା ଜାରି ହୋଇଛି । ବର୍ତ୍ତମାନ ସୁଦ୍ଧା 77 ଲକ୍ଷ ନାଗରିକ ବାସହରା ହେବା ସହ ଶରଣାର୍ଥୀ ସାଜିଛନ୍ତି ।