ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା; ଇଣ୍ଟରପୋଲ୍ ସହାୟତା ନେବ କ୍ରାଇମବ୍ରାଞ୍ଚ

ରାୟଗଡ଼ା: ରାୟଗଡ଼ାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଇଣ୍ଟରପୋଲ୍ ସହାୟତା ନେବ କ୍ରାଇମବ୍ରାଞ୍ଚ। ମୃତକ ଆନ୍ଥୋଭ ପାଭେଲଙ୍କ ଜବତ ମୋବାଇଲ ଓ ଲାପଟପ୍ ଯାଞ୍ଚ ପାଇଁ ଇଣ୍ଟରପୋଲର ସହାୟତା ନେବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ।

ପୋଷ୍ଟମର୍ଟମ ରିପୋର୍ଟରେ ଆନ୍ଥୋଭ ପାଭେଲଙ୍କ ମୃତ୍ୟକୁ ଡାକ୍ତର ଦୁର୍ଘଟଣା ଜନିତ କହିଛନ୍ତି । ପାଭେଲଙ୍କ ଫୁସଫୁସ ଓ ଯକୃତରେ କ୍ଷତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଳ୍ଲେଖ ରହିଛି । ସେହିପରି ଭ୍ଲାଦିମିରଙ୍କ ମୃତ୍ୟୁ ହାର୍ଟଆଟାକରୁ ହୋଇଛି ବୋଲି ଡାକ୍ତର କହିଛନ୍ତି । ସେପଟେ ରାୟଗଡ଼ାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍ ରାୟଗଡା ଥାନା ଓ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ରହିଛନ୍ତି ।

କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହ ଆଲୋଚନା କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି । ସେହିପରି ହୋଟେଲ ସାଇ ଇଣ୍ଟର ନ୍ୟାସନାଲର ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ଚାଲିଥିବାରୁ ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ତେବେ କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି। ଏପଟେ ଆଜି ପଞ୍ଚମ ଦିନରେ ଋଷୀୟ ଦମ୍ପତି ପାନ ସେଙ୍କୋ, ଟୁରଭୋ ଏବଂ ଟୁର ଗାଇଡ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ଜେରା କରୁଛି ତଦନ୍ତକାରୀ ଟିମ। ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଉଛି ।