ଋଷର ବିରୋଧୀ ଦଳ ନେତା ଆଲେକ୍ସିଙ୍କ ସନ୍ଦେହଜନକ ମୃତ୍ୟୁ, ବାଇଡେନ କହିଲେ ପୁଟିନ ଦାୟୀ

1 min read

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରମୁଖ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁକୁ ନେଇ ବଢ଼ିଲା ବିବାଦ । ଜେଲରେ ତାଙ୍କର ମୃତ୍ୟୁକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତାଙ୍କୁ ମିଳିଥିବା ୧୯ ବର୍ଷ ଜେଲଦଣ୍ଡାଦେଶକୁ ନେଇ ପୁଟିନଙ୍କୁ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ସମେତ ଅନେକ ମାନବାଧିକାର ସଂଗଠନ ସମାଲୋଚନା କରିଆସୁଥିଲେ ।

ନିଜ ଓକିଲଙ୍କ ଜରିଆରେ ଆଲେକ୍ସି ନିୟମିତ ବିଭିନ୍ନ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଆସୁଥିଲେ । ପ୍ରଥମେ ତାଙ୍କୁ ମସ୍କୋ ନିକଟସ୍ଥ ଏକ ଜେଲରେ ରଖାଯାଇଥିବାବେଳେ ପରେ ତାଙ୍କୁ ମସ୍କୋ ଠାରୁ ୨ ହଜାର କିଲୋମିଟର ଦୂର ସାଇବେରିଆ ଅନ୍ତର୍ଗତ ଆଇକେ-3 ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ୧୬ ତାରିଖରେ ଜେଲରେ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଲେକ୍ସି ଚାଲୁଚାଲୁ ହଠାତ ଅସୁସ୍ଥ ହୋଇଥିଲେ ଏବଂ ଚିକିତ୍ସା ସତ୍ତ୍ବେ ସେ ବଞ୍ଚିପାରିଲେ ନାହିଁ ବୋଲି ସରକାରୀ ଭାବେ କୁହାଯାଇଥିଲା । ତେବେ ମୃତ୍ୟୁ ସମ୍ପର୍କରେ କିଛି ସୂଚନା ଦିଆଯାଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପ୍ରେସ ସଚିବ ।

ଋଷରେ ଦୁର୍ନୀତି ବିରୋଧରେ ସର୍ବଦା ସ୍ବରଉତ୍ତୋଳନ କରିଆସୁଥିଲେ ୪୭ ବର୍ଷୀୟ ଆଲେକ୍ସି । ଗତ 2021ରେ ସେ ଜର୍ମାନୀରୁ ସ୍ବଦେଶ ଫେରିବା ପରେ ତାଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଇଥିଲା । ସ୍ନାୟୁକୁ ନଷ୍ଟ କରୁଥିବା ଏକ ଗ୍ୟାସ ନୋଭିଚୋକ ଜରିଆରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ ଚିକିତ୍ସା ଲାଗି ଜର୍ମାନୀ ଯାଇଥିଲେ । ସେପଟେ ଆଲେକ୍ସିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ସେ କହିଛନ୍ତି ଆଲେକ୍ସିଙ୍କ ମୃତ୍ୟୁ ତାଙ୍କ ଲାଗି ଆଶ୍ଚର୍ଯ୍ୟଜନକ ନୁହେଁ । ଦୁର୍ନୀତି, ହିଂସା ବିରୋଧରେ ଆଲେକ୍ସି ଲଢୁଥିଲେ । ତାଙ୍କ ମୃତ୍ୟୁ ଲାଗି ପୁଟିନ ହିଁ ଦାୟୀ ବୋଲି କହିଛନ୍ତି ବାଇଡେନ । ବଡ଼କଥା ହେଉଛି 2021 ଜୁନରେ ଜେନେଭରେ ଆଲେକ୍ସିଙ୍କ ସମ୍ପର୍କରେ ପୁଟିନଙ୍କୁ ବାଇଡେନ କହିଥିଲେ- ଯଦି ଆଲେକ୍ସିଙ୍କ ମୃତ୍ୟୁ ଘଟେ ତେବେ ତାହା ପୁଟିନଙ୍କ ଲାଗି କ୍ଷତିର କାରଣ ହେବ । ସେପଟେ ପୁଟିନଙ୍କ ଲାଗି ଦଣ୍ଡ ଦାବି କରିଛନ୍ତି ପତ୍ନୀ ୟୁଲିଆ ନାଭାଲନାୟା।