ୟୁକ୍ରେନ୍ ବିପକ୍ଷରେ ଋଷର ଯୁଦ୍ଧକୁ ବିରୋଧ, ଲାଇଭ୍ ଶୋ’ରୁ ଇସ୍ତଫା ଦେଲେ ନ୍ୟୁଜ ଚ୍ୟାନେଲର ସମସ୍ତ କର୍ମଚାରୀ

ମସ୍କୋ: ୧୦ ଦିନ ହେଲା ଜଳୁଛି ୟୁକ୍ରେନ୍ । ଯୁଦ୍ଧକୁ ତମାମ୍ ବିରୋଧରେ ସତ୍ତ୍ୱେ ପଛକୁ ହଟୁ ନାହାନ୍ତି ପୁଟିନ୍ । ବିଦେଶ ସହ ଋଷରେ ବି ୟୁକ୍ରେନ୍ ବିରୋଧରେ ଚାଲିଥିବା ଯୁଦ୍ଧକୁ ବିରୋଧ ଜାରି ରହିଛି । ଯୁଦ୍ଧକୁ ବିରୋଧ ନେଇ ବିଭିନ୍ନ ଟିଭି ଚ୍ୟାନେଲରେ ବିତର୍କ ବି ହେଉଛି । ଏମିତି ଏକ ଆଶ୍ଚର୍ଯ୍ୟକର ବିରୋଧ କରିଛନ୍ତି ନ୍ୟୁଜ ଚ୍ୟାନେଲର କର୍ମଚାରୀ । ଯୁଦ୍ଧକୁ ବିରୋଧ କରି ଲାଇଭ ଶୋରେ ଋଷର ଏକ ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି ।

ୟୁକ୍ରେନ୍ ବିରୋଧରେ ଋଷର ଯୁଦ୍ଧକୁ ବିରୋଧ କରି ଲିବେରାଲ ଋଷିଆ ଟିଭିର ସମସ୍ତ କର୍ମଚାରୀ ଚାକିରି ଛାଡ଼ି ଦେଇଛନ୍ତି । ନୋ ଟୁ ୱାର ଶୀଷର୍କ କାର୍ଯ୍ୟକ୍ରମ ମାଧ୍ୟମରେ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରି ଦେଇଛନ୍ତି । ୟୁକ୍ରେନ୍ ଯୁଦ୍ଧ ନେଇ ଚ୍ୟାନେଲର ପ୍ରସାରଣ ଉପରେ ମସ୍କୋ ପ୍ରତିବନ୍ଧକ ଲଗାଇବା ପରେ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଛି । ଚ୍ୟାନେଲର ସିଇଓ ନଟାଲିଆ ସିନ୍ଦେୟେଭା କହିଛନ୍ତି, ଆମେ ଆଗକୁ ଦୃଢ଼ତାର ସହ କାର୍ଯ୍ୟ କରିବୁ । ଆଶା କରୁଛି ଆମେ ଖୁବଶୀଘ୍ର ଫେରିବୁ ଓ ପୁନଃ ପ୍ରସାରଣ କରିବୁ ।
ଶେଷଥର ପାଇଁ ଚ୍ୟାନେଲରେ ନୋ ଟୁ ୱାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ପ୍ରଦାନ କରିବା ସହ ଜଣ ଜଣଙ୍କରି କାର୍ଯ୍ୟାଳୟରୁ ବାହାରି ଯାଇଥିଲେ । ମାସ ରେଜିନେସନର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଚ୍ୟାନେଲର ସମସ୍ତ କର୍ମଚାରୀ ବାହାରି ଯିବା ପରେ ସ୍ୱାନ୍ ଲେକ୍ ବାଲେଟ୍ ଭିଡିଓ ପ୍ରସାରିତ ହୋଇଛି । ଯାହାକି ୧୯୯୧ରେ ଶୋଭିଏତ୍ ସଂଘର ବିଘଟନ ପରେ ଋଷର ସରକାରୀ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ।


ଲିବେରାଲ ଋଷିଆ ଟିଭି ଭଳି ଏହାର ରେଡିଓ ଏଖୋ ମସ୍କଭିର ପ୍ରସାରଣକୁ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଋଷ ସରକାର ବିରୋଧରେ ଖବର ପ୍ରସାରଣ ଯୋଗୁ ୨୦୧୪ରେ ଟିଭି ରେନର ପ୍ରସାରଣକୁ ବନ୍ଦ କରି ଦିଆ ଯାଇଥିଲା । ସେତେବେଳେ ଟିଭି ରେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କରି ହେଉଥିବା ବିକ୍ଷୋଭକୁ ପ୍ରସାରଣ କରି ଆକ୍ରୋଶର ଶିକାର ହୋଇଥିଲା ।

Leave a Reply