ଓଡେଶାରେ ଋଷର ଜୋରଦାର ଆକ୍ରମଣ, ପ୍ରାଣ ହରାଇଲେ ୨୧ ନାଗରିକ

1 min read

କିଭ୍: ୟୁକ୍ରେନର ଓଡେଶା ଅଞ୍ଚଳରେ ଋଷର ପୁଣି ଜୋରଦାର ଆକ୍ରମଣ । ଆକ୍ରମଣରେ ୨ ଶିଶୁ ସମେତ ୧୯ ନାଗରିକ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୩୮ ଜଣ । ଆକ୍ରମଣରେ ଓଡେଶା ଅନ୍ତର୍ଗତ ସେରିବକା ସହରର ବ୍ୟାପକ କ୍ଷତି ଘଟିଛି । ବିଭିନ୍ନ ଆପାର୍ଟମେଣ୍ଟ ଓ କୋଠା ଉପରେ ୨୨ରୁ ଅଧିକ କେଏଚ-୨୨ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଆକ୍ରମଣ ଯୋଗୁ ସହରର ଏକ ହସ୍ପିଟାଲ, ଏକ ଥିଏଟର ହଲ୍ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣରୁ ବର୍ତ୍ତିବା ଲାଗି ଏହା ଆଶ୍ରୟସ୍ଥଳୀ ଭାବେ ବ୍ୟବହୃତ ହେଉଥିଲା । ଏହା ସହ ଖାରକିଭ୍ ଅଞ୍ଚଳରେ ମଧ୍ୟ ପୁନର୍ବାର ଆକ୍ରମଣ କରିଛି ଋଷ ।

ସେପଟେ ସ୍ନେକ ଆଇଲାଣ୍ଡରୁ ଋଷ ନିଜ ସୈନ୍ୟ ପ୍ରତ୍ୟାହାର କରିଛି । ଏହା ଯୋଗୁ ଶସ୍ୟ ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀର ପରିବହନ ଆରମ୍ଭ ହୋଇଛି । ତେଣେ ପୂର୍ବ ୟୁକ୍ରେନର ଲୁହାନସ୍କକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ । ଖୁବ୍ ଶୀଘ୍ର ଏହି ଅଞ୍ଚଳକୁ ନିଜ କବଜାକୁ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପଟେ ଘନୀଭୂତ ହୋଇଛି ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ଋଷର ଅର୍ଥନୈତିକ ଯୁଦ୍ଧ । ସାଖାଲିନ-2 ଗ୍ୟାସ ପାଇପଲାଇନ ଓ ବୃହତ ତୈଳ ପ୍ରକଳ୍ପକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି ଋଷ । ଋଷର ଏହି ପଦକ୍ଷେପ ଯୋଗୁ ପାଶ୍ଚାତ୍ୟ ରାଷ୍ଟ୍ର ଗଭୀର ସଂକଟର ସମ୍ମୁଖୀନ ହେବା ସହ ଶେଲ କମ୍ପାନୀ ଓ ଅନ୍ୟାନ୍ୟ ବହୁରାଷ୍ଟ୍ରୀୟ କମ୍ପାନିଙ୍କୁ ପ୍ରଭୁତ କ୍ଷତି ସହିବାକୁ ପଡ଼ିବ । ଋଷର ଏହି ପଦକ୍ଷେପ ଯୋଗୁ ବିଶ୍ବରେ ଏଲଏନଜି କ୍ଷେତ୍ର ବି ପ୍ରଭାବିତ ହେବ ।