ଋଷ ସେନା ହଟିବା ପରେ ୟୁକ୍ରେନ ରାସ୍ତାରେ ପଡ଼ିଛି କୁଢ କୁଢ ଶବ

କିଭ୍: ୟୁକ୍ରେନରେ ଋଷର ନରସଂହାର । ବିଭିନ୍ନ ସହରରୁ ଋଷ ସେନା ହଟିବାର ତିନି ଦିନ ପରେ ବି ମିଳୁଛି କୁଢ କୁଢ ଶବ । ୪୧ ଦିନର ଯୁଦ୍ଧ ପରେ ଆଶାନୁରୂପକ ପରିଣାମ ନପାଇ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ଋଷ । କିବ୍ ସହର କବଜା କରି ନପାରି ଡୋନବାସ, ମାରିୟୁପୋଲ, ଓଡ଼େଶା ଆଦି ସହରରେ ଘନ ଘନ ମିସାଇଲ, ରକେଟ, ଗୋଳା ମାଡ଼ କରୁଛନ୍ତି ଋଷ ସୈନ୍ୟ । ସାଧାରଣ ଲୋକଙ୍କ ହାତ ବାନ୍ଧି ଦିଆଯାଇ  ପାଟି ଓ ମୁଣ୍ଡରେ ଗୁଳି କରାଯାଇଥିବା ଶବ ମିଳିବା ପରେ ସ୍ତବ୍ଧ ହୋଇଛି ସାରାବିଶ୍ବ। ନିରୀହ ଲୋକଙ୍କୁ ଅତି ନିର୍ମମ ହତ୍ୟାର ଚିତ୍ର ଆସିବା ପରେ ଋଷର ଏପରି କାର୍ଯ୍ୟକୁ ନିନ୍ଦା କରିଛି ବିଶ୍ବ ସମୁଦାୟ । ସାଧାରଣ ଲୋକଙ୍କ ସମେତ ସାମ୍ବାଦିକଙ୍କୁ ମଧ୍ୟ ଋଷ ସୈନ୍ୟ ଟାର୍ଗେଟ କରୁଛନ୍ତି । ଯୁଦ୍ଧାରମ୍ଭ ଦିନଠାରୁ ପ୍ରାୟ ୧୮ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।

କୁହାଯାଉଛି ଯେ, ରୁଷ୍‌ ସେନା ବେସମେଣ୍ଟ୍‌ରେ ଲୁଚିଥିବା ଲୋକଙ୍କୁ ବଳପୂର୍ବକ ବାହାରକୁ ଆଣି ସେମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କିବଠାରୁ ୫୦ କିମି ପଶ୍ଚିମ ମୋତିଜିନ୍‌ ସହରର ମେୟର, ତାଙ୍କ ସ୍ୱାମୀ ଏବଂ ପୁଅକୁ ଅତି ନିର୍ମମ ଭା‌ବେ ହତ୍ୟା କରାଯାଇଛି । ମେୟରଙ୍କ ହାତ ପଛପଟୁ ବନ୍ଧା ଯାଇଥିଲା ଏବଂ ତାଙ୍କ ଆଖିରେ ଏକ ପଟି ବନ୍ଧା ଯାଇଥିଲା। ୟୁକ୍ରେନ୍‌ ଉପ ପ୍ରଧାନମନ୍ତ୍ରୀ ମଧ୍ୟ ମେୟରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପରାମର୍ଶଦାତା ଓଲେସ୍କି
ଆରେଷ୍ଟାବିଚ ଅନ୍ୟ ଏକ ଭୟଙ୍କର ଅଭିଯୋଗ ଆଣିଛନ୍ତି ।

ଓଲେସ୍କି କହିଛନ୍ତି, ରୁଷ୍‌ ସୈନିକ ମହିଳାଙ୍କୁ ଦୁଷ୍କର୍ମ କରିବାପରେ ସେମାନଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କ ଶରୀରକୁ ଜାଳି ଦେଇଛନ୍ତି । ରାସ୍ତାରେ ପଡ଼ି ରହିଥିବା ମୃତଦେହକୁ ସେ ହରର୍‌ ମୁଭିର ଦୃଶ୍ୟ ବୋଲି କହିଛନ୍ତି। ବୁଚାରୁ ଏଭଳି ହୃଦୟ ବିଦାୟକ ଦୃଶ୍ୟ ଦେଖିବାକୁ ମିଳିବାପରେ ୟୁରୋପୀୟ ନେତାମାନେ ଏହାର କଡ଼ା ନିନ୍ଦା କରିଛନ୍ତି। ସେମାନେ ରୁଷ୍‌ ବିରୋଧରେ ଅଧିକ କଟକଣା ଲଗାଇବାପାଇଁ ଦାବି କରିଛନ୍ତି। କିନ୍ତୁ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏହା ସହ ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା ଯେ, ବୁଚାରୁ ଏଭଳି ଦୃଶ୍ୟ ଦେଖାଇ ୟୁକ୍ରେନ୍‌ ସରକାର ଅଧିକ ଉତ୍ତେଜନା ବଢ଼ାଉଛନ୍ତି । ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାଭରୋଭ କହିଛନ୍ତି, ବୁଚାରେ ଯାହା ଦେଖିବାକୁ ମିଳୁଛି ତାହା ମିଥ୍ୟା । ରୁଷ୍‌କୁ ନୀଚ ବିଶ୍ୱ ନଜରରେ ନିଚ ଦେଖାଇବା ପାଇଁ ୟୁକ୍ରେନ୍‌ ଏଭଳି କରିଛି ବୋଲି ସେ କହିଛନ୍ତି । ଉକ୍ତ ଘଟଣାରେ ରୁଷ୍‌ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ, ସୋସିଆଲ ମିଡିଆରେ ଋଷର ନରସଂହାରକୁ ଜୋରଦାର ବିରୋଧ ହେଉଛି । ଟ୍ରେଣ୍ଡ କରୁଛି ହାସଟ୍ୟାଗ ବୁଚା ଜେନୋସାଇଡ । ଋଷର ଏଭଳି କାର୍ଯ୍ୟକୁ ନେଇ ସ୍ତବ୍ଧ ହୋଇଛି ସାରାବିଶ୍ବ । ଗଣହତ୍ୟାକୁ ନେଇ ପ୍ରମାଣ ମିଳିବା ପରେ ମସ୍କୋ ବିରୋଧରେ ବଢୁଛି ପ୍ରତିବନ୍ଧକ । ଋଷର ୧୦ କୂଟନୀତିଜ୍ଞଙ୍କୁ ଗୁପ୍ତଚର ଦର୍ଶାଇ ବହିଷ୍କାର କରିଛନ୍ତି ଜର୍ମାନୀ ଓ ଫ୍ରାନ୍ସ ।