କୂଟନୀତିଜ୍ଞଙ୍କ ଶବ ଜବତ, ରୁଷ ଗୁପ୍ତଚର ସଂସ୍ଥାର ଏଜେଣ୍ଟ ସନ୍ଦେହ

ବର୍ଲିନ: ଜର୍ମାନୀ ରାଜଧାନୀ ବର୍ଲିନରେ ଥିବା ରୁଷ ଦୂତାବାସ ସମ୍ମୁଖରୁ ଜଣେ କୂଟନୀତିଜ୍ଞଙ୍କ ଶବ ମିଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାସ୍ତାକଡ଼ରୁ ତାଙ୍କ ଶବ ଜବତ କରାଯାଇଛି । ମୃତକ ଜଣଙ୍କ ରୁଷ ଗୁପ୍ତଚର ସଂସ୍ଥାର ଏଜେଣ୍ଟ ଭାବେ କାମ କରୁଥିଲେ ବୋଲି ଜର୍ମାନୀ ଅଧିକାରୀ କହିଛନ୍ତି । ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ୩୫ ବର୍ଷୀୟ କୂଟନୀତିଜ୍ଞଙ୍କ ଶବ ୧୯ ଅକ୍ଟୋବର ସକାଳେ ମିଳିଥିଲା । ରୁଷ ଦୂତାବାସ ଉପରୁ ପଡ଼ି ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ଡେର ସ୍ପାଇଗେଲ ଏବଂ ଅନୁସନ୍ଧାନକାରୀ ସଂସ୍ଥା ବେଲିଙ୍ଗକେଟ ରିପୋର୍ଟ ଅନୁସାରେ ୨୦୧୯ରେ ରୁଷ ଦୂତାବାସର ଦ୍ବିତୀୟ ସଚିବ ଭାବେ ମୃତ କୂଟନୀତିଜ୍ଞଙ୍କୁ ନିଯୁକ୍ତି ମିଳିଥିଲା । ଜର୍ମାନୀ ସୁରକ୍ଷା କର୍ମୀ ଭାବୁଛନ୍ତି ସେ ରୁଷର ଆନ୍ତରୀଣ ସୁରକ୍ଷା ଓ କାଉଣ୍ଟର ଇଣ୍ଟେଲିଜେନ୍ସି ସର୍ଭିସ୍ (ଏଫଏସବି)ର ଅଣ୍ଡର କଭର ଏଜେଣ୍ଟ ଥିଲେ ଏବଂ ଗୁପ୍ତଚରୀ ସଂସ୍ଥାରେ ବଡ଼ ପଦବୀରେ କାମ କରୁଥିଲେ ।

ରୁଷ ଦୂତାବାସ ପକ୍ଷରୁ ମୃତ ଅଧିକାରୀଙ୍କ ନାଁ ପ୍ରକାଶ କରାଯାଇନି । ହେଲେ ଏମିତି ଘଟଣା ଦୁଃଖଦାୟକ ବୋଲି କୁହାଯାଇଛି । ରିପୋର୍ଟ ମୁତାବକ ରୁଷ ଦୂତାବାସ ପକ୍ଷରୁ ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ମଧ୍ୟ ମନା କରାଯାଇଥିଲା । କୂଟେନୖତିକ ସୁରକ୍ଷା କଥା କହି ଜର୍ମାନୀ ଅଧିକାରୀଙ୍କୁ ମାମଲାର ତଦନ୍ତ ନକରିବାକୁ କହିଥିଲା । ଜର୍ମାନୀ ବିଦେଶ ମନ୍ତ୍ରାଳୟ, ଅଧିକାରୀଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଥିଲେ ବି ବିଶେଷ କିଛି ସୂଚନା ଦେଇନାହିଁ ।

ଏକ ବିବୃତ୍ତିରେ ରୁଷ ଦୂତାବାସ ତରଫରୁ କୁହାଯାଇଛି, ୨୦୨୧ ଅକ୍ଟୋବର ୧୯ ତାରିଖରେ ଏକ ଦୁଃଖଦ ଘଟଣା ଘଟିଛି । କୂଟନୀତିଜ୍ଞଙ୍କ ମୃତ୍ୟୁକୁ ନେଇ ଯେଉଁ ମିଡ଼ିଆ ରିପୋର୍ଟ ପ୍ରକାଶ ପାଉଛି ସେଥିରେ କୌଣସି ସତ୍ୟତା ନାହିଁ ।

Leave a Reply