ଦୋନେସ୍କ ଓ ଖାରକିଭରେ ଋଷର ଏୟାରଷ୍ଟ୍ରାଇକ୍

1 min read

କିଭ୍: ୬୮ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ବନ୍ଦ ହେଉଛି ଶାନ୍ତିର ବାଟ । ୟୁକ୍ରେନର ଦୋନେସ୍କ ଓ ଖାରକିବରେ ପୁଣି ଋଷ କରିଛି ବଡ଼ ଧରଣର ଏୟାରଷ୍ଟ୍ରାଇକ । ଆକ୍ରମଣରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହାସହ ପୂର୍ବ ୟୁକ୍ରେନରେ ଆକ୍ରମଣକୁ ଅଧିକ ଜୋରଦାର କରିଛି ଋଷ । ଖାରକିବରେ ୟୁକ୍ରେନ ସୈନ୍ୟ ପଛକୁ ହଟିଛନ୍ତି । ଦୋନବାସରେ ଅଧିକାଂଶ ଅଞ୍ଚଳକୁ ଋଷ କବଜା କରିଥିବା ନେଇ ମିଳିଛି ସୂଚନା । ବୋରୋଦ୍ୟାଙ୍କା ଓ ବେରସ୍ୟାଙ୍କାରେ ବି ଜୋରଦାର ହୋଇଛି ଆକ୍ରମଣ ।

ଅନ୍ୟପକ୍ଷରେ କିଭ୍ ଗସ୍ତରେ ଆସି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବା ସହ ଯୁଦ୍ଧରେ ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆମେରିକା ବାଚସ୍ପତି ନାନସି ପାଲୋସି ଘୋଷଣା କରିଛନ୍ତି । ତେଣେ ୟୁକ୍ରେନକୁ M777-155 ମିମି କମାଣ ଯୋଗାଇବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଜୁରୀ ଦେଇଛନ୍ତି । ଏହି ଶକ୍ତିଶାଳୀ ତଥା ହାତରେ ଅପରେଟ କରାଯାଇପାରୁଥିବା କମାଣ ଋଷ ଲାଗି ବିପଦ ସାବ୍ୟସ୍ତ ହେବ । ପ୍ରାୟ 40 କିଲୋମିଟର ଦୂରରୁ ଗୋଳାବର୍ଷଣ କରିବା କ୍ଷମତା ରହିଛି ହାଓଜିର । ସେହିପରି ୟୁକ୍ରେନକୁ M777-155 ମିମି କମାଣ ଯୋଗାଇବା ଲାଗି ଘୋଷଣା କରିଛି ଅଷ୍ଟ୍ରେଲିଆ । ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛି ଜର୍ମାନୀ । ଯୁଦ୍ଧ ପ୍ରତି ଶାନ୍ତିପୂର୍ଣ୍ଣ ମନୋଭାବ ପୁରୁଣାକାଳିଆ ହେଲାଣି ବୋଲି ଜର୍ମାନୀ ଚାନସେଲର ଓଲାଫ୍ ସ୍କଲଜ କହିଛନ୍ତି । ସେ ଶାନ୍ତି ସପକ୍ଷରେ ଅଛନ୍ତି । କିନ୍ତୁ ଭ୍ଲାଦିମିର ପୁଟିନଙ୍କ ୟୁକ୍ରେନ ଆକ୍ରମଣକୁ ବିନା ଅସ୍ତ୍ରରେ ସମ୍ମୁଖୀନ ହେବା ସମ୍ଭବ ନୁହେଁ ବୋଲି ମଧ୍ୟ କହିଛନ୍ତି ।

ସେପଟେ ରେଡକ୍ରସର ଅନ୍ତର୍ଜାତୀୟ କମିଟି ଜରିଆରେ ମାରିୟୁପୋଲସ୍ଥିତ ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରୁ ବିପନ୍ନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ପ୍ରାୟ୧୦୦ ବିପନ୍ନଙ୍କୁ ପ୍ଲାଣ୍ଟରୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କୁ ବସ୍ ଯୋଗେ ବେଜିମେନିୟକୁ ସ୍ଥାନାନ୍ତର କରାଯାଇଛି । ପ୍ଲାଣ୍ଟ ଭିତରେ ଫସିଥିବା ଲୋକଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗତ ଏପ୍ରିଲ ୨୬ ତାରିଖରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ଅନୁସାରେ ଚାଲିଛି ଉଦ୍ଧାର କାର୍ଯ୍ୟ ।