ଯୁଦ୍ଧ ରୋକିବାକୁ ୪ଟି ସର୍ତ୍ତ ରଖିଲା ଋଷ, ସର୍ତ୍ତ ମାନିଲେ ତୁରନ୍ତ ବନ୍ଦ ହେବ ଯୁଦ୍ଧ

1 min read
How Russia Claims Georgia And Crimea And Now Ukraine War

ମସ୍କୋ: ୟୁକ୍ରେନ-ଋଷିଆ ଯୁଦ୍ଧ ଏବେ ୧୩ ଦିନରେ ପହଞ୍ଚିଛି । ଦିନକୁ ଦିନ ତିବ୍ର ହେଉଛି ଲଢେଇ । ଏହି ଯୁଦ୍ଧକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି ଅନେକ ଦେଶ କିନ୍ତୁ ଋଷର ରାଷ୍ଟ୍ରପତି ପୁଟିନ ଜିଦରେ ଅଟଳ । ୟୁକ୍ରେନ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୪ଟି ସର୍ତ୍ତ ରଖିଛନ୍ତି । ୟୁକ୍ରେନ ଯଦି ତାଙ୍କର ଏହି ୪ଟି ସର୍ତ୍ତକୁ ମାନିନେବ ତେବେ ରୁଷିଆ ତୁରନ୍ତ ଯୁଦ୍ଧ କରିବ ବୋଲି ପୁଟିନ କହିଛନ୍ତି। ଏନେଇ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖପାତ୍ରଙ୍କ ପକ୍ଷରୁ ସର୍ତ୍ତଗୁଡିକ ଜାରି ହୋଇଛି ।

୧- ୟୁକ୍ରେନ ଆକ୍ରମଣ ବନ୍ଦ କରୁ। ୟୁକ୍ରେନ ବିରୋଧରେ ରୁଷିଆ ସାମରିକ ଅଭିଯାନ ଶେଷ କରିସାରିଛି। ମାତ୍ର ୟୁକ୍ରେନ ସୈନ୍ୟ ଆକ୍ରମଣ କରୁଥିବାରୁ ରୁଷିଆ ଏହାର ପ୍ରତିଆକ୍ରମଣ କରୁଛି। ତେଣୁ ୟୁକ୍ରେନ ଆକ୍ରମଣ ବନ୍ଦ କଲେ ଯୁଦ୍ଧ ବନ୍ଦ ହେବ।

୨- ଋଷ ଚାହେଁନି କି ୟୁକ୍ରେନ କୌଣସି ସଂଗଠନରେ ସାମିଲ ହେଉ । ଯୁଦ୍ଧ ଏ ହେଉଛି ପ୍ରମୁଖ କାରଣ ଯେ ୟୁକ୍ରେନ ସବୁବେଳେ ନାଟୋରେ ସମିଲ ହେବାକୁ ଚେଷ୍ଟା କରିଚାଲିଛି । ତେଣୁ ନିରପେକ୍ଷତା ଅବଲମ୍ବନ ନିମନ୍ତେ ୟୁକ୍ରେନ ଏହାର ସମ୍ବିଧାନ ସଂଶୋଧନ କରୁ।

୩-କ୍ରିମିଆ ରୁଷିଆର ଭୂଖଣ୍ଡ ବୋଲି ୟୁକ୍ରେନ ସ୍ୱୀକାର କରୁ। କାରଣ ଏହା ଋଷର ଏକ ଅଂଶ ଯାହାକୁ ୧୯୫୪ରେ ୟୁକ୍ରେନକୁ ଉପହାର ସ୍ୱରୂପ ଦିଆଯାଇଥିଲା ଓ ପରେ ୨୦୧୪ରେ ଋଷ ପୁଣି କ୍ରିମିଆକୁ ତା ଅଧିନରେ କରିଥିଲା କିନ୍ତୁ ୟୁକ୍ରେନ ତାହାକୁ ସ୍ୱୀକାର କରିନଥିଲା ।

୪- ୨୦୧୪ରେ ପୂର୍ବ ୟୁକ୍ରେନରୁ ବିଚ୍ଛିନ ହୋଇ ଡୋନେକ୍ସ ଓ ଲୁଗାନସ୍କ ଏକ ସ୍ୱତନ୍ତ୍ର ଦେଶ ହୋଇଥିଲା । ଏହାକୁ ଋଷ ମାନ୍ୟତା ମିଳିଥିବା ବେଳେ ବିଚ୍ଛିନ୍ନତାବାଦୀଙ୍କ ଭୂଖଣ୍ଡ ଡୋନେକ୍ସ ଓ ଲୁଗାନସ୍କକୁ ୟୁକ୍ରେନ ସ୍ୱାଧୀନ ରାଷ୍ଟ୍ର ବୋଲି ମାନି ନଥିଲା ତେଣୁ ୟୁକ୍ରେନ ସେହି ସ୍ୱତନ୍ତ୍ର ରାଷ୍ଟ୍ରକୁ ମାନ୍ୟତା ପ୍ରଦାନ କରୁ। ରୁଷିଆର ଏହି ସର୍ତ୍ତ ଉପରେ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

୨୪ ଫେବ୍ରୁଆରୀରୁ ଚାଲିଥିବା ଏହି ଯୁଦ୍ଧରେ ପ୍ରାୟ ୟୁକ୍ରେନ୍‌ରୁ ୧୭ ଲକ୍ଷ ଲୋକ ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ରକୁ ପଳାଇବା ସହ ଶରଣାର୍ଥୀ ଶିବିରରେ ବାସ କରୁଛନ୍ତି । ଏହାସହ ବର୍ତ୍ତମାନ ସୁଧା ୪୦୯ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ  ୮୦୧ ଜଣ ଆହତ ହୋଇଛନ୍ତି । ସୋମବାର ରୁଷିଆ ସାମୟିକ ଯୁଦ୍ଧବିରତି ଘୋଷଣା କରିବା ସହ କିଭ୍‌, ମାରିଉପୋଲ, ସୁମି ଆଦି ସହର ଛାଡ଼ି ପଳାଇବାକୁ ସାଧାରଣ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି।