ପୁଟିନଙ୍କ ଦୃଢ଼ୋକ୍ତି, ଋଷ ଦଖଲ କରିପାରିବନି ବିଶ୍ୱର କୌଣସି ସାମରିକ ଶକ୍ତି

1 min read

ମସ୍କୋ: ଆଜି ଋଷ ପାଳୁଛି ଐତିହାସିକ ବିଜୟ ଦିବସ । ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟୀ ହୋଇଥିଲା ସୋଭିଏତ ୟୁନିୟନ। ସେପଟେ ୟୁକ୍ରେନ ଉପରେ ଆକ୍ରମଣକୁ ୭୫ଦିନ ହୋଇଥିବା ବେଳେ ହମଲାକୁ ଆହୁରି ଜୋରଦାର କରିଛି ମସ୍କୋ । ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିଶ୍ୱର କୌଣସି ବି ସାମରିକ ଶକ୍ତି ଋଷ ଦଖଲ କରିପାରିବ ନାହିଁ ବୋଲି ବିଜୟ ଉତ୍ସବ ସମାରୋହରେ କହିଛନ୍ତି । ସେପଟେ କୃଷ୍ଣ ସାଗରରେ ଋଷର ଆଉ ଏକ ଶକ୍ତିଶାଳି ଯୁଦ୍ଧପୋତ ଧ୍ୱଂସ କରିଛି ୟୁକ୍ରେନ ।

ଯୁଦ୍ଧର ଘନଘଟା ଭିତରେ ଆଜି ବିଜୟ ଦିବସ ପାଳୁଛି ଋଷ । ରାଜଧାନୀ ମସ୍କୋର ରେଡ୍ ସ୍କୋୟାର ସହ ଅନ୍ୟ ସହରରେ ବି ପାଳନ ହେଉଛି ବିଜୟ ଉତ୍ସବ । ୟୁକ୍ରେନ ସମେତ ସୋଭିଏତ ସଂଘର ୧୫ ଦେଶକୁ ବିଜୟ ଦିବସର ସନ୍ଦେଶ ପଠାଇଛନ୍ତି ଭ୍ଲାଦିମିର ପୁଟିନ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ୟୁନିଅନର ବିଜୟ ହୋଇଥିଲା । ମେ ୯ ତାରିଖକୁ ଭିକ୍ଟରୀ ଡେ ଘୋଷଣା କରିଥିଲେ ଷ୍ଟାଲିନ୍ । ଏହିଦିନ ବର୍ଲିନ ସମ୍ପୂର୍ଣ୍ଣ ଭାବେ ସୋଭିଏତ ସେନା ନିୟନ୍ତ୍ରଣକୁ ଆସିଥିଲା । ବିଜୟ ଉତ୍ସବରେ ସାମିଲ ଅବସରରେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ କିଛି ବଡ଼ ଘୋଷଣା କରିପାରନ୍ତି ପୁଟିନ । ଯାହା ଉପରେ ପୁରା ବିଶ୍ୱର ନଜର ରହିଛି ।

ସେପଟେ ୟୁକ୍ରେନ ଉପରେ ଋଷର ଆକ୍ରମଣ ୭୫ଦିନରେ ପହଞ୍ଚିଛି । ମସ୍କୋ ସେନା ଆକ୍ରମଣକୁ ଆହୁରି ତୀବ୍ର କରିଥିବା ବେଳେ କୃଷ୍ଣସାଗରରେ ମସ୍କୋଭା ପରେ ଜଳସମାଧି ନେଇଛି ଋଷର ଆଉ ଏକ ଯୁଦ୍ଧପୋତ । ଋଷର ଅତ୍ୟାଧୁନିକ ଯୁଦ୍ଧପୋତ ମକାରୋଭକୁ ଡ୍ରୋନ୍ ଆକ୍ରମଣରେ ଧ୍ୱଂସ କରିଛି ୟୁକ୍ରେନ । ୫ଶହ ନିୟୁତ ମୂଲ୍ୟର ମକାରୋଭ ମାତ୍ର ୫ବର୍ଷ ତଳେ ଋଷ ସେନାରେ ସାମିଲ ହୋଇଥିଲା । ମସ୍କୋଭା ସମୁଦ୍ରରେ ବୁଡ଼ିବା ପରେ ମକାରୋଭକୁ ଦ୍ୱିତୀୟ ଶକ୍ତିଶାଳୀ ଯୁଦ୍ଧପୋତ ଭାବେ ସାମିଲ କରିଥିଲା ମସ୍କୋ ।

ପୁଟିନଙ୍କ ୟୁକ୍ରେନ ଉପରେ ଆକ୍ରମଣ ନିଷ୍ପତ୍ତି ଋଷ ଓ ଏଠାକାର ସାଧାରଣ ନାଗରିକଙ୍କ ପାଇଁ ଲଜ୍ଜାଜନକ ବୋଲି G-7 ରାଷ୍ଟ୍ର ପକ୍ଷରୁ କୁହାଯାଇଛି । ଋଷ ଅନ୍ତରାଷ୍ଟ୍ରୀୟ ନିୟମ ଭଙ୍ଗ କରିଛି । ୟୁକ୍ରେନ ଉପରେ ଆକ୍ରମଣରେ ଋଷ ଯେପରି ବିଜୟୀ ନହେବ ସେଥିପାଇଁ ଆମେ ସମସ୍ତେ ଏକ ହେବା ଆବଶ୍ୟକ ବୋଲି G-7ରାଷ୍ଟ୍ରଗୋଷ୍ଠୀ ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଋଷର ବିଭିନ୍ନ ଟିଭି ଚାନେଲ ବିରୋଧରେ କଟକଣା ଜାରି କରିଛି ଆମେରିକା । ଏହି କମ୍ପାନୀଗୁଡ଼ିକୁ ଯନ୍ତ୍ରପାତି ଓ ବିଜ୍ଞାପନ ନ ଦେବା ଲାଗି ନିର୍ଦ୍ଦେଶ ଦେଇଛ ହ୍ୱାଇଟ ହାଉସ । ସେହିପରି ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନର ଇରପିନକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ ଆମେରିକା ଫାଷ୍ଟ ଲେଡି ଜିଲ୍ ବାଇଡେନ ଅଚାନକ ୟୁକ୍ରେନ ଗସ୍ତ କରିବା ସହ ୟୁକ୍ରେନ ଫାଷ୍ଟଲେଡି ଓଲେନା ଜେଲେନସ୍କାଙ୍କୁ ଭେଟି ୟୁକ୍ରେନବାସୀଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସାହିନବାଗ୍‌ରେ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଆଗରେ ବସିପଡ଼ିଲେ ସ୍ଥାନୀୟ ଲୋକେ