୩୧ ଦିନରେ ୟୁକ୍ରେନ ଯୁଦ୍ଧ, ମାରିୟୁପୋଲ ଥିଏଟର ହଲ ଏୟାର ଷ୍ଟ୍ରାଇକ ଘଟଣାରେ ମୃତ୍ୟୁ ସଂଖ୍ୟା ୩୦୦କୁ ବୃଦ୍ଧି

1 min read

କିଭ୍: ୩୧ ଦିନରେ ଋଷ-ୟୁକ୍ରେନ ଓ୍ୱାର । ୟୁକ୍ରେନର ବିଭିନ୍ନ ସହରରେ ଜାରି ରହିଛି ଋଷର ଆକ୍ରମଣ । ତେବେ ଗତ ସପ୍ତାହରେ ମାରିୟୁପୋଲର ଥିଏଟର ହଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା ୩୦୦ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିସ୍ଫୋରଣରେ ଜଣେ ମହିଳା ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଥିବା ଜଣାଯାଇଛି । ସେପଟେ ରୁବିଜିନେରେ ଋଷ ପ୍ରୟୋଗ କରିଛି ଫସଫରସ ବମ୍ । ୨ ହଜାର ୭୬୦ ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା ଫସଫରସ ବୋମା ଜାଳି ଦେଇଥାଏ ବଙ୍କର ।

ସେପଟେ ୩୧ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଋଷର ୧୫ ହଜାର ୮୦୦ ସୈନ୍ୟ, ୧୦୮ ବିମାନ, ୧୨୪ ହେଲିକପ୍ଟର, ୫୩୦ ଟ୍ୟାଙ୍କ, ୫୦ଟି ଚାଳକବିହୀନ ବିମାନ, ୪୭ଟି ବିମାନବିଧ୍ୱଂସୀ ସିଷ୍ଟମ, ୧୦୩୩ଟି ଗାଡି ନଷ୍ଟ କରିଛି ବୋଲି ଦାବି କରିଛି ୟୁକ୍ରେନ । ସେପଟେ ରାସାୟନିକ ଓ ଆଣବିକ ଆକ୍ରମଣର ପ୍ରତିରୋଧ ଲାଗି ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଓ ବୁଲଗେରିଆରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟୋଲଟନବର୍ଗ ।