ୟୁକ୍ରେନ ରାଜଧାନୀକୁ କେତେବେଳେ ବି ଅକ୍ତିଆର କରିପାରେ ଋଷ: ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍

ନୂଆଦିଲ୍ଲୀ: ୟୁକ୍ରେନ ରାଜଧାନୀକୁ ଯେକୌଣସି ମୁହୁର୍ତ୍ତରେ ଅକ୍ତିଆର କରିବ ଋଷ୍‌ । ଚାଲିଛି ଭୟଙ୍କର ଲଢେଇ । ଚାରିପଟୁ ଋଷର ମିସାଇଲ ଷ୍ଟ୍ରାଇକ । ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍‌ । ନଷ୍ଟ ହେଉଛି ଲୋକଙ୍କ ସମ୍ପତ୍ତି । ପ୍ରତିରୋଧ ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ୟୁକ୍ରେନ ସୈନ୍ୟ । ୟୁକ୍ରେନ୍‌ରେ ଜରୁରୀକାଳିନ ପରିସ୍ଥିତି ଜାରି ହୋଇଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଯିଏ ବାହାରକୁ ବାହାରିବ ସେମାନେ ଅପରାଧୀ ବୋଲି ଧରାଯିବ ।

ଋଷ ଜନବହୁଳ ଅଞ୍ଚଳ ଉପରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ୍‌ ଅନୁମାନ କରିଛି । ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଅଣ୍ଡରଗ୍ରାଉଣ୍ଡ ବିଲଡିଂରେ ନାଗରିକଙ୍କୁ ଥଇଥାନ କରାଯାଇଛି । ସେପଟେ ଲୋକଙ୍କ ପାଇଁ ଖାଦ୍ୟ ଦିନକୁ ଦିନ ସରୁଥିବା ବେଳେ କୌଣସି ସହାୟତା ମିଳୁନଥିବା ଦେଖିବାକୁ ମିଳିଛି । ଏପଟେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଛନ୍ତି ଯେ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ । ଶତ୍ରୁ ନିକଟରେ ମୁଣ୍ଡ ନୁଆଁଇବେ ନାହିଁ । ବିଭିନ୍ନ ସହଯୋଗୀ ରାଷ୍ଟ୍ରରୁ ଖୁବ୍ ଶୀଘ୍ର ଅସ୍ତ୍ରଶସ୍ତ୍ର ଆସିବ ବୋଲି ସେ ଆଶା ରଖିଛନ୍ତି ।

ଅନ୍ୟପକ୍ଷରେ ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଏଥିସହିତ ପଢ଼ନ୍ତୁ: ରୋମାନିଆରୁ ମୁମ୍ବାଇରେ ପହଞ୍ଚିଲା ବିମାନ, ଫେରିଲେ ୨୧୯ ଭାରତୀୟ

Leave a Reply