ସାଧାରଣ ଲୋକଙ୍କୁ ମାରି କବର ଦେଇଦେଇଛି ଋଷ୍ ସେନା

କିଭ୍: କମିବା ବଦଳରେ ବଢୁଛି ଋଷ୍ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର କାୟା । ଯୁଦ୍ଧ ଭିତରେ ଏବେ କ୍ଷୟକ୍ଷତିର ରିପୋର୍ଟ ଦେଖିଲେ ଏ ଯୁଦ୍ଧ କେତେ ଭୟାନକ ତାହା ସ୍ପଷ୍ଟ ହେଉଛି । ୟୁକ୍ରେନରେ କିଭରେ କବରରୁ ୯୦୦ରୁ ଅଧିକ ଲୋକଙ୍କ ମୃତ ଦେହ ବାହାର କରାଯାଇଛି । ସାଧାରଣ ଲୋକଙ୍କୁ ମାରି କିଛି କିଛି ସ୍ଥାନରେ ଋଷ୍ ସେନା କବର ଦେଇଦେଇଥିବା ୟୁକ୍ରେନ୍ ପୋଲିସ କହିଛି । ଏଭଳି ସଙ୍ଗୀନ ସ୍ଥିତି ପାଇଁ ଋଷକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକାକୁ ଅପିଲ୍ କରିଛନ୍ତି ଜେଲେନସ୍କି ।

ଋଷକୁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଭାବେ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ଏପଟେ ୟୁକ୍ରେନର ବିଭିନ୍ନ ଅଞ୍ଚଳକୁ ଲଙ୍ଗ ରେଞ୍ଜ ମିସାଇଲ୍ ଦ୍ବାରା ଋଷ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଷ୍ଟିଲ ପ୍ଲାଣ୍ଟ ଏବଂ ପୋର୍ଟକୁ ଋଷ୍ ସେନା ଟାର୍ଗେଟ କରୁଛନ୍ତି । ଗତକାଲି କିଭରେ ମିଲିଟାରି କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ କରିଥିଲେ ଋଷ୍ ସେନା । ଏପଟେ ଋଷିଆ ବ୍ରିଟେନ ସରକାର ଉପରେ କଟକଣା ଲଗାଇଛନ୍ତି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ସରକାରୀ ଅଧିକାରୀ ମାନେ ଋଷରେ ପ୍ରବେଶ କରିପାରିବେ ନାହିଁ । କିଛି ଦିନ ତଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ୟୁକ୍ରେନ୍ ଯାଇ ସ୍ଥିତି ପରଖିଥିବା ବେଳେ, ଏହାର ବଦଲା ନେଇ ଋଷ୍ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି । ଯୁଦ୍ଧକୁ ଆଜି ୫୩ ଦିନ ପୂରିଥିବା ବେଳେ ଏ ଯୁଦ୍ଧ ଆହୁରି ଲମ୍ବା ଚାଲିପାରେ ଅନୁମାନ କରାଯାଉଛି ।