ୟୁକ୍ରେନର ବିଭିନ୍ନ ସହରରେ ଜାରି ରହିଛି ଲଢ଼େଇ, ବୁଚା ଗଣହତ୍ୟାକୁ ଅସ୍ୱୀକାର କରୁଛି ଋଷ

1 min read

କିଭ୍: ୪୪ ଦିନରେ ଋଷ-ୟୁକ୍ରେନ ୱାର । ୟୁକ୍ରେନର ବିଭିନ୍ନ ସହରରେ ଜାରି ରହିଛି ଲଢ଼େଇ । ସେପଟେ ନିଜ ସୈନ୍ୟବାହିନୀର ବ୍ୟାପକ କ୍ଷତି ଘଟିଛି ବୋଲି ପ୍ରଥମ ଥର ପାଇଁ ସ୍ବୀକାର କରିଛି ଋଷ । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି- ଯୁଦ୍ଧରେ ଋଷର ବ୍ୟାପକ କ୍ଷତି ଘଟିବା ସହ ଅନେକ ସୈନ୍ୟ ମୃତାହତ ହୋଇଛନ୍ତି । ତେବେ ଯୁଦ୍ଧରେ କେତେ ସଂଖ୍ୟକ ସୈନ୍ୟ ପ୍ରାଣ ହରାଇଛନ୍ତି ବା ଆହତ ହୋଇଛନ୍ତି ସେ ସମ୍ପର୍କରେ ତଥ୍ୟ ଦେଇନାହାଁନ୍ତି ପେସକୋଭ । ଏହାସହ ବୁଚା ସହରରେ ଋଷ ଗଣହତ୍ୟା ଘଟାଇନାହିଁ ଏବଂ ଏହା ଏକ ଅପପ୍ରଚାର ବୋଲି ସେ କହିଛନ୍ତି ।

ଗତ ମାର୍ଚ୍ଚରେ ଋଷର ୧ ହଜାର ୩୫୧ ସୈନ୍ୟ ପ୍ରାଣ ହରାଇବା ସହ ୩ ହଜାର ୮୨୫ ସୈନ୍ୟ ଆହତ ହୋଇଛନ୍ତି ବୋଲି କହିଥିଲା ଋଷ । ତେବେ ହାର୍ ମାନିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରସ୍ତୁତ ନୁହନ୍ତି ଏବଂ ସେ ଯୁଦ୍ଧ ଲାଗି ସୈନ୍ୟମାନଙ୍କୁ ନେଇ ନୂଆ ରଣନୀତି କରୁଛନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ରିବେକା କଫଲର । ଜାତିସଂଘ ମାନବାଧିକାର ପରିଷଦରୁ ଋଷ ବହିଷ୍କୃତ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଗତକାଲିର ଭୋଟରେ ଏହି ପ୍ରସ୍ତାବ ସପକ୍ଷରେ ୯୩ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ମିଳିଥିଲା ୨୪ଟି ଭୋଟ । ୫୮ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ତେଣେ ଋଷ ସହ ସାଧାରଣ ବାଣିଜ୍ୟଗତ ସମ୍ପର୍କର ଅନ୍ତ ନେଇ ଆମେରିକା କଂଗ୍ରେସରେ ପ୍ରସ୍ତାବ ଗୃହୀତ ହୋଇଛି । ତନମଧ୍ୟରେ ରହିଛି ତୈଳ ଆମଦାନୀ । ଋଷ ସମେତ ଏହାର ମୁଖ୍ୟ ସହଯୋଗୀ ବେଲାଋଷ ବିରୋଧରେ ବି ସମଧରଣର ପଦକ୍ଷେପ ନିଆଯାଇଛି ।

ଆମଦାନୀ ଉପରେ ଥିବା ଶୁଳ୍କ ପରିମାଣକୁ ବହୁଗୁଣ ବଢ଼ାଇ ଦିଆଯାଇଛି । ଫଳରେ ଉଭୟ ଦେଶର ବାଣିଜ୍ୟ ଯଥେଷ୍ଟ କ୍ଷତିଗ୍ରସ୍ତ ହେବ । ଋଷଠାରୁ ଆମେରିକା ଗତ ୨୦୨୧ରେ ୧୭ଦଶମିକ ୫ ବିଲିୟନ ଡଲାରର ତୈଳ ସମେତ ୩୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା । ମାତ୍ର କଟକଣା ଯୋଗୁ ଏହି ଆମଦାନୀ ବ୍ୟାପକ ହ୍ରାସ ପାଇବ । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଏହି ଯୁଦ୍ଧରେ ୟୁକ୍ରେନର ବିଭିନ୍ନ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଉପରେ ୧୦୦ରୁ ଅଧିକ ଥର ହମଲା କରାଯାଇଛି । ଏହି ସବୁ ଘଟଣାରେ ୭୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।