ୟୁକ୍ରେନରୁ ସାମରିକ କାର୍ଯ୍ୟକଳାପ ହ୍ରାସ କରିବାକୁ ଘୋଷଣା କଲା ଋଷ

1 min read

କିଭ୍: ୩୫ ଦିନରେ ଋଷ-ୟୁକ୍ରେନ ୱାର । ତୁର୍କୀ ଆଲୋଚନାକୁ ନେଇ ସସପେନସ ଜାରି ରହିଥିବା ବେଳେ, ୟୁକ୍ରେନ ରାଜଧାନୀ କିବ୍ ଓ ଆଖପାଖ ଅଞ୍ଚଳ ତଥା ସହରରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବାକୁ ଋଷ ଘୋଷଣା କରିଛି । ତେବେ ପାଦ ତଳୁ ମାଟି ଖସିବା ଅବସ୍ଥାର ସମ୍ମୁଖୀନ ହେଉଥିବାରୁ ଋଷ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି । କିବର ବହୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ୟୁକ୍ରେନୀୟ ସୈନ୍ୟ ପୁଣି କବଜା କରିଥିବା ବେଳେ, ଇରପିନକୁ ନିଜ କବଳକୁ ନେଇଛନ୍ତି ।

ମାରିଉପୋଲରେ ବି ଦିନକୁ ଦିନ ଋଷ ସୈନ୍ୟ ଦୁର୍ବଳ ହେବାରେ ଲାଗିଛନ୍ତି । ବିଭିନ୍ନ ରଣନୀତି ସତ୍ତ୍ୱେ କିବକୁ ଘେରାବନ୍ଦୀ କରିବା ଲାଗି ଋଷର ଯୋଜନା ସଫଳ ହୋଇପାରିନାହିଁ । ପୁଣି ଇରପିନ ହାତଛଡା ହେବା ପରେ ଋଷର ମନୋବଳ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ବାଧ୍ୟ ହୋଇ ଋଷ ସାମରିକ କାର୍ଯ୍ୟକଳାପ କମାଇବା ନିଷ୍ପତ୍ତି ନେଇଛି । ସେପଟେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବା ଅର୍ଥ ଅସ୍ତ୍ର ବିରତି ନୁହେଁ ଏବଂ କିବ ସହ ଏକ ବିଧିବଦ୍ଧ ରାଜିନାମା ଆହୁରି ବିଳମ୍ବ ଘଟିବ ବୋଲି କହିଛି ଋଷ ।

ତୁର୍କୀ ବୈଠକରେ ୟୁକ୍ରେନ ଯେଉଁ ପ୍ରମୁଖ ଦାବି ଉଠାଇଥିଲା ତନ୍ମଧ୍ୟରେ ଥିଲା ସିକ୍ୟୁରିଟି ଗ୍ୟାରେଣ୍ଟି । ୟୁକ୍ରେନର ନିରାପତ୍ତା ନେଇ ଆମେରିକା, ବ୍ରିଟେନ, ଚୀନ, ଫ୍ରାନ୍ସ ଓ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟ ଗ୍ୟାରେଣ୍ଟର ପଡିବା ନେଇ ବୈଠକରେ ଦାବି କରିଥିଲେ ୟୁକ୍ରେନ ପ୍ରତିନିଧି । ତେବେ କେବଳ ଚୀନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଷ୍ଟ୍ର ନାଟୋର ସଦସ୍ୟ ଅଛନ୍ତି । ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରାଯାଏ, ତେବେ ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ମନ ବଳାଇବ ନାହିଁ ଏବଂ ତାଙ୍କ ଦେଶ ଏକ ନିରପେକ୍ଷ ରାଷ୍ଟ୍ର ଭାବେ ବିବେଚିତ ହେବ ବୋଲି ମଧ୍ୟସ୍ଥି କହିଛନ୍ତି । ସେହିପରି ନିରାପତ୍ତା ଗ୍ୟାରେଣ୍ଟି ମିଳିଲେ ୟୁକ୍ରେନ ମାଟିରେ କୌଣସି ବିଦେଶୀ ରାଷ୍ଟ୍ରଙ୍କୁ ସାମରିକ ଘାଟି ପ୍ରତିଷ୍ଠା କରିବାକୁ ଦିଆଯିବ ନାହିଁ ବୋଲି ମଧ୍ୟସ୍ଥି କହିଛନ୍ତି । ସେପଟେ ୟୁକ୍ରେନର ଏହି ସବୁ ପ୍ରସ୍ତାବକୁ ନେଇ ଋଷ ସହମତି ନଥିବା ଜଣାଯାଇଛି ।