ଫେଲ୍ ମାରୁଛି ଶାନ୍ତି ଆଲୋଚନା, ଦିନକୁ ଦିନ ତିବ୍ର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ

1 min read

କିଭ୍: ୩୪ ଦିନରେ ଋଷ-ୟୁକ୍ରେନ ୱାର । ବିଭିନ୍ନ ସହର ଦଖଲ ନେଇ ଦୁଇ ଦେଶର ଦାବିକୁ ନେଇ ଅସ୍ପଷ୍ଟ ସ୍ଥିତି । ଇରପିନ ସହରର ଅନେକ ଅଞ୍ଚଳକୁ ଋଷ କବଳରୁ ମୁକ୍ତ କରାଯାଇଛି ବୋଲି ଦାବି କରିଛନ୍ତି ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରୀ ଦେନିସ ମୋନାସ୍ତିର୍କ୍ସି । ତେଣେ ଇରପିନ ମେୟର ବି କହିଛନ୍ତି- ଇରପିନର ଅନେକ କୌଶଳଗତ ସ୍ଥାନରୁ ଋଷୀୟ ସୈନ୍ୟଙ୍କୁ ହଟାଇଦିଆଯାଇଛି ।

ସେପଟେ ଘନ ସଙ୍କଟ ବଳୟରେ ସଢୁଥିବା ମାରିୟୁପୋଲରେ ବର୍ତ୍ତମାନ ସୁଦ୍ଧା ୫ ହଜାର ଲୋକ ପ୍ରାଣ ହରାଇଲେଣି ବୋଲି କହିଛି ୟୁକ୍ରେନ । ବାସ୍ତବ ମୃତ୍ୟୁ ସଂଖ୍ୟା ୧୦ ହଜାର ହେବ ବୋଲି ଆଶଙ୍କା କରାଯାଉଛି । ଦେଶରୁ ପ୍ରାୟ ୧ କୋଟି ଲୋକ ଘର ଛାଡିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୦ ହଜାର ହେବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତେଣେ ଋଷୀୟ ଅର୍ବୁଦପତି ରୋମାନ ଆବ୍ରାମୋଭିଚ ଓ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମରତ ୟୁକ୍ରେନୀୟ ମଧ୍ୟସ୍ଥିଙ୍କ ବିରୋଧରେ ବିଷ ପ୍ରୟୋଗ ନେଇ ଗୁରୁତର ଅଭିଯୋଗ ହୋଇଛି ।

ୟୁକ୍ରେନ ରାଜଧାନୀ କିବରେ ଚଳିତ ମାସରେ ହୋଇଥିବା ଶାନ୍ତି ଆଲୋଚନା ବେଳେ ସେମାନଙ୍କ ନିକଟରେ ବିଷକ୍ରିୟାଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ଏହି ଘଟଣା ପଛରେ ମସ୍କୋର କଠୋରପନ୍ଥୀଙ୍କ ହାତ ରହିଛି ବୋଲି କୁହାଯାଉଛି । କେତେକ ଗଣମାଧ୍ୟମର ସୂଚନା ଅନୁସାରେ ଶାନ୍ତି ଆଲୋଚନା ପରେ ଆବ୍ରାମୋଭିଚ ଓ ମଧ୍ୟସ୍ଥି ତଥା କ୍ରିମିଆର ତାତାରର ସାଂସଦ ରୁସ୍ତମ ଉମରୋଭଙ୍କ ନିକଟରେ ବିଷକ୍ରିୟାଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ଯୁଦ୍ଧର ଅବସାନ ଘଟାଇବା ଲାଗି ୟୁକ୍ରେନର ଅନୁରୋଧ କ୍ରମେ ଆବ୍ରାମୋଭିଚ ଓ ଅନ୍ୟମାନେ କଥାବାର୍ତ୍ତା ପର୍ଯ୍ୟାୟକୁ ଆସିଥିଲେ । ମାତ୍ର ଏହି ଆଲୋଚନା ପରେ ସେମାନଙ୍କ ଆଖି ଲାଲ ପଡିଯିବା ସହ ମୁଖମଣ୍ଡଳ ଓ ହାତର ଚର୍ମ ଗୁରୁତର ସଂକ୍ରମିତ ହୋଇଥିଲା ।

ତେବେ ସେମାନେ ବର୍ତ୍ତମାନନ ସୁସ୍ଥ ଓ ବିପଦମୁକ୍ତ ଅଛନ୍ତି ବୋଲି କୁହାଯାଇଛି । ଯୁଦ୍ଧ ବନ୍ଦ କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପ୍ରୟୋଗ କରିବା ଲାଗି ଆବ୍ରାମୋଭିଚ ଉଦ୍ୟମ କରିଥିଲେ । ପୂର୍ବରୁ ଯୁଦ୍ଧକୁ ନେଇ ଋଷର ବହୁ ଅର୍ବୁଦପତିଙ୍କ ବିରୋଧରେ ପାଶ୍ଚାତ୍ୟରାଷ୍ଟ୍ର ଯେଉଁ କଟକଣା ଲଗାଇଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଆବ୍ରାମୋଭିଚ ।