ମାରିଉପୋଲରେ ଜାରି ରହିଛି ଋଷର ଧ୍ୱଂସଲୀଳା,ସହରକୁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ

1 min read

କିଭ୍: ଭୟଙ୍କର ହେବାରେ ଲାଗିଛି ଋଷ-ୟୁକ୍ରେନ ୱାର । ଯୁଦ୍ଧକୁ ୨୮ ଦିନ ବିତିଥିବା ବେଳେ ୟୁକ୍ରେନର ପୋର୍ଟ ସିଟି ମାରିଉପୋଲରେ ଋଷ ପକାଇଛି ଦୁଇଟି ସୁପରପାୱାର ବମ୍ । ସାରା ସହରରେ ଧ୍ୱଂସଲୀଳା ଜାରି ରହିଥିବା ବେଳେ, ଅତି ଶକ୍ତିଶାଳୀ ବୋମାମାଡ଼ ହେବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଆତ୍ମସମର୍ପଣ ନିର୍ଦ୍ଦେଶ ଅବମାନନା ପରେ ସହରରେ ଅଧିକ ହୋଇଛି ଧ୍ୱଂସଲୀଳା ।

ସହରରେ ପ୍ରାୟ ୧ ଲକ୍ଷ ଲୋକ ହାହାକାର ଅବସ୍ଥାରେ ରହିଥିବା ସୂଚନା ମିଳିଛି । ସହରକୁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଜାପୋରଜିଆକୁ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଥିଲେ ବି ଆକ୍ରମଣ କାରଣରୁ ତାହା ସମ୍ଭବ ହୋଇପାରିନାହିଁ । କିବରେ ଅସ୍ତ୍ରାଗାର ଭାବେ ବ୍ୟବହୃତ ହେଉଥିବା ଏକ ମଲକୁ  ଧ୍ୱଂସ କରାଯାଇଛି ବୋଲି କହିଛି ଋଷ । ଦିନିପ୍ରୋରେ ଏୟାରଷ୍ଟ୍ରାଇକ ଯୋଗୁ ଧ୍ୱଂସ ହୋଇଛି ରେଳ ଷ୍ଟେସନ ।

ୟୁକ୍ରେନ ଉପପ୍ରଧାନମନ୍ତ୍ରୀ ଇରିନା ଭେରେଚୁକ୍ କହିଛନ୍ତି, ମାରିଉପୋଲରେ ଅତି ସଂଗୀନ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରାଯିବା ଲାଗି ଚେଷ୍ଟା କରାଯାଉଛି । ସହରରେ ଦୁଇଟି ସୁପରପାଓ୍ବାର ବମ୍ ପକାଯାଇଥିବା ନେଇ ସେ କରିଛନ୍ତି ଅଭିଯୋଗ । ଯୁଦ୍ଧ ଆରମ୍ଭ ପରଠାରୁ ୧୧୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪୮ଟି ସ୍କୁଲ ଧ୍ୱଂସ ହୋଇଥିବା ନେଇ ଅଭିଯୋଗ କରିଛି ୟୁକ୍ରେନ ।

America Vs Russia Which country is supporting whom in Ukraine Crisis

ଅନ୍ୟପଟେ ଋଷ ସୈନ୍ୟଙ୍କ ନିକଟରେ ଗୋଳାବାରୁଦ, ଯୁଦ୍ଧାସ୍ତ୍ର, ଇନ୍ଧନ, ଖାଦ୍ୟ, ପାନୀୟ ତଥା  ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚି ପାରୁ ନଥିବାରୁ ସେମାନଙ୍କ ଲାଗି ସ୍ଥିତି ଗମ୍ଭୀର ହେଲାଣି ବୋଲି କହିଛି ପେଣ୍ଟାଗନ ।