ମାରିଉପୋଲରେ ଜାରି ରହିଛି ଋଷର ଧ୍ୱଂସଲୀଳା,ସହରକୁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ
1 min readକିଭ୍: ଭୟଙ୍କର ହେବାରେ ଲାଗିଛି ଋଷ-ୟୁକ୍ରେନ ୱାର । ଯୁଦ୍ଧକୁ ୨୮ ଦିନ ବିତିଥିବା ବେଳେ ୟୁକ୍ରେନର ପୋର୍ଟ ସିଟି ମାରିଉପୋଲରେ ଋଷ ପକାଇଛି ଦୁଇଟି ସୁପରପାୱାର ବମ୍ । ସାରା ସହରରେ ଧ୍ୱଂସଲୀଳା ଜାରି ରହିଥିବା ବେଳେ, ଅତି ଶକ୍ତିଶାଳୀ ବୋମାମାଡ଼ ହେବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଆତ୍ମସମର୍ପଣ ନିର୍ଦ୍ଦେଶ ଅବମାନନା ପରେ ସହରରେ ଅଧିକ ହୋଇଛି ଧ୍ୱଂସଲୀଳା ।
ସହରରେ ପ୍ରାୟ ୧ ଲକ୍ଷ ଲୋକ ହାହାକାର ଅବସ୍ଥାରେ ରହିଥିବା ସୂଚନା ମିଳିଛି । ସହରକୁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଜାପୋରଜିଆକୁ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଥିଲେ ବି ଆକ୍ରମଣ କାରଣରୁ ତାହା ସମ୍ଭବ ହୋଇପାରିନାହିଁ । କିବରେ ଅସ୍ତ୍ରାଗାର ଭାବେ ବ୍ୟବହୃତ ହେଉଥିବା ଏକ ମଲକୁ ଧ୍ୱଂସ କରାଯାଇଛି ବୋଲି କହିଛି ଋଷ । ଦିନିପ୍ରୋରେ ଏୟାରଷ୍ଟ୍ରାଇକ ଯୋଗୁ ଧ୍ୱଂସ ହୋଇଛି ରେଳ ଷ୍ଟେସନ ।
ୟୁକ୍ରେନ ଉପପ୍ରଧାନମନ୍ତ୍ରୀ ଇରିନା ଭେରେଚୁକ୍ କହିଛନ୍ତି, ମାରିଉପୋଲରେ ଅତି ସଂଗୀନ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରାଯିବା ଲାଗି ଚେଷ୍ଟା କରାଯାଉଛି । ସହରରେ ଦୁଇଟି ସୁପରପାଓ୍ବାର ବମ୍ ପକାଯାଇଥିବା ନେଇ ସେ କରିଛନ୍ତି ଅଭିଯୋଗ । ଯୁଦ୍ଧ ଆରମ୍ଭ ପରଠାରୁ ୧୧୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪୮ଟି ସ୍କୁଲ ଧ୍ୱଂସ ହୋଇଥିବା ନେଇ ଅଭିଯୋଗ କରିଛି ୟୁକ୍ରେନ ।
ଅନ୍ୟପଟେ ଋଷ ସୈନ୍ୟଙ୍କ ନିକଟରେ ଗୋଳାବାରୁଦ, ଯୁଦ୍ଧାସ୍ତ୍ର, ଇନ୍ଧନ, ଖାଦ୍ୟ, ପାନୀୟ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚି ପାରୁ ନଥିବାରୁ ସେମାନଙ୍କ ଲାଗି ସ୍ଥିତି ଗମ୍ଭୀର ହେଲାଣି ବୋଲି କହିଛି ପେଣ୍ଟାଗନ ।