ମହିଳା ଗୁପ୍ତଚରଙ୍କ ଦାବି, ‘ଯୁଦ୍ଧ ଜିତିବାକୁ ଯେ କୌଣସି ସ୍ତରକୁ ଖସିପାରନ୍ତି ପୁଟିନ୍’

1 min read
Russia Ukraine War Former Female Spy Revealed Putin's Secret

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ଯୁଦ୍ଧକୁ ତିନି ସପ୍ତାହ ବିତିଲାଣି । ଦୁଇ ଦେଶ ଲଡ଼ୁଥିବା ବେଳେ କେହି ପଛଘୁଞ୍ଚା ଦେଉ ନାହାନ୍ତି । ଯାହାକୁ ନେଇ ଅନ୍ୟ ଦେଶର ଚିନ୍ତା ବଢ଼ିବାରେ ଲାଗିଛି । କୁହାଯାଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧ । ଏହାରି ଭିତରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ପୂର୍ବତନ ସହଯୋଗୀ ଜଣେ ମହିଳା ଗୁପ୍ତଚର ଚକିତ କଲା ଭଳି ଦାବି କରିଛନ୍ତି । ସେ କହିଛନ୍ତି, ପୁଟିନ୍ କୌଣସି ବି ପରିସ୍ଥିତିରେ ବିଜୟ ଚାହାନ୍ତି । ଆଉ ସେ ଯୁଦ୍ଧ ଜିତିବାକୁ ଯେ କୌଣସି ସ୍ତରକୁ ଯାଇ ପାରନ୍ତି ।

ଏଭଳି ଦାବି କରିଥିବା ମହିଲା ଗୁପ୍ତଚର ଜଣଙ୍କ ଏବେ କାଲିଫର୍ଣ୍ଣିଆରେ ରହୁଛନ୍ତି । ଆଲିୟା ରୋଜ ନାମକ ଏହି ଏଜେଣ୍ଟ ପୁଟିନଙ୍କ ସହ ସେନାରେ ଗୁପ୍ତଚର ନେଇ ଟ୍ରେନିଂ ବି ନେଇଛନ୍ତି । ତାଙ୍କ ଦାବି ହେଉଛି, ସେ ପୁଟିନଙ୍କୁ ଅତି ନିକଟରୁ ଜାଣନ୍ତି । ପୁଟିନ୍ ହାରିବା ଜାଣି ନାହାନ୍ତି । ସେ ଯୁଦ୍ଧ ଆରମ୍ଭ କରିଛନ୍ତି ମାନେ ଜିତିବା ପାଇଁ କୌଣସି ବି ସ୍ତରକୁ ଯାଇ ପାରନ୍ତି ।

Russia Ukraine War Former Female Spy Revealed Putin's Secret

ଏଜେଣ୍ଟ ଆଲିୟା ରୋଜାଙ୍କ ଅନୁସାରେ, ପୁଟିନ କୌଣସି ବି ପରିସ୍ଥିତିରେ ୟୁକ୍ରେନରେ ନାଟୋ ଦେଶ ସୈନ୍ୟ କିମ୍ବା ସେମାନଙ୍କ ଅସ୍ତ୍ରଶସ୍ତ୍ର ମୁତୟନ କରିବାକୁ ଦେବେ ନାହିଁ । ଏବଂ ଏଭଳି କିଛି ହେଲେ ରୋକିବାକୁ ସେ କୌଣସି ସ୍ତରକୁ ଯିବା ପାଇଁ ପଛକୁ ଫେରିବେ ନାହିଁ ।

ବିଗତ ୨୧ ଦିନ ହେଲା ଯୁଦ୍ଧ ଚାଲିଛି । ଋଷର ଘନ ଘନ ଆକ୍ରମଣରେ ୟୁକ୍ରେନ୍ ବହୁ କ୍ଷତି ସହିଲାଣି । ୟୁକ୍ରେନର ଅଧିକାଂଶ ସହରର ଚିହ୍ନବର୍ଣ୍ଣ ମାଟିରେ ମିଶି ଯିବାକୁ ବସିଲାଣି । ଲୋକ ପରିବାରକୁ ଧରି ଦେଶ ଛାଡ଼ୁଛନ୍ତି । ଋଷ ଓ ୟୁକ୍ରେନ୍ ପଛକୁ ହଟୁ ନଥିବା ବେଳେ ଅନେକ ଥର ଆଲୋଚନା ପରେ ବି ନିଷ୍କର୍ସ ବାହାରି ପାରୁନି ।