spot_img

Latest Posts

ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ପ୍ରକ୍ରିୟା; ଋଷ ସହ କେତେକ ଅଞ୍ଚଳର ଅଦଳବଦଳ କରିବାକୁ ଜେଲେନସ୍କିଙ୍କ ସହମତି

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅନ୍ତ ହେବା ନେଇ ଫିଟୁଛି ବାଟ । ଋଷ ସହ କେତେକ ଅଞ୍ଚଳର ଅଦଳବଦଳ କରିବାକୁ ସହମତି ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ସେପଟେ ଜଣେ ଆମେରିକୀୟ ବନ୍ଦୀଙ୍କୁ ଋଷ ମୁକ୍ତ କରିବା ପରେ ଋଷ ପ୍ରତି ଆମେରିକା ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟ ନରମ ହୋଇଛି।

ଆସନ୍ତା ଶୁକ୍ରବାର ମ୍ୟୁନିକ ନିରାପତ୍ତା ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ଜେଲେନସ୍କିଙ୍କ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ୟୁକ୍ରେନକୁ ଆମେରିକାର ସାମରିକ ସହାୟତାକୁ ସର୍ବଦା ବିରୋଧ କରିଆସୁଛନ୍ତି ଭାନ୍ସ । ଋଷ ଦ୍ବାରା ଅଧିକୃତ କିଛି ଅଞ୍ଚଳକୁ ଛାଡିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଆସୁଥିଲେ ଜେଲେନସ୍କି । ହେଲେ ବର୍ତ୍ତମାନ ସେ ନିଜ ସ୍ବର ପରିବର୍ତ୍ତନ କରିଛନ୍ତି । ଗତବର୍ଷ ଋଷର କୁର୍ସ୍କ ଅଞ୍ଚଳକୁ ୟୁକ୍ରେନ ନିଜ ଅକ୍ତିଆରକୁ ନେଇଥିବାବେଳେ ସେହି ଅଞ୍ଚଳକୁ ବର୍ତ୍ତମାନ ଛାଡିଦେବେ ବୋଲି ଜେଲେନସ୍କି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେରିକା ବିନା ସିକ୍ୟୁରିଟି ଗ୍ୟାରେଣ୍ଟିର ମାନେ କିଛି ନୁହେଁ । ନିର୍ବାଚନ ପୂର୍ବରୁ ଟ୍ରମ୍ପ କହିଥିଲେ, ସେ ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଉଦ୍ଯମ କରିବେ ।

ସେପଟେ ଆମେରିକୀୟ ଶିକ୍ଷକ ମାର୍କ ଫୋଗେଲଙ୍କୁ ଋଷ ମୁକ୍ତ କରିବା ପରେ ଆମେରିକା-ଋଷ ମଧ୍ଯରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହେବା ସୂଚନା ମିଳିଛି । ଆମେରିକାର ସ୍ବତନ୍ତ୍ର ଦୂତ ଷ୍ଟିଭ ଓ୍ବିଟକଫଙ୍କ ପ୍ରସ୍ତାବିତ ମସ୍କୋ ଗସ୍ତ ପୂର୍ବରୁ ବନ୍ଦୀଙ୍କୁ ମୁକ୍ତ କରିଛି ଋଷ । ଗତ ୨୦୨୧ ଅଗଷ୍ଟରୁ ଋଷରେ ବନ୍ଦୀ ଜୀବନ କଟାଉଥିଲେ ଫୋଗେଲ ।

Latest Posts

Don't Miss