ମାରିଉପୋଲକୁ କବଜା କରିବାକୁ ଋଷ ଜାରି ରଖିଛି ପ୍ରୟାସ

1 min read

କିଭ୍: ୩୭ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଦୋଛକିରେ ଶାନ୍ତି ପ୍ରକ୍ରିୟା । ଧ୍ୱସ୍ତବିଧ୍ୱସ୍ତ ମାରିଉପୋଲକୁ କବଜା କରିବା ପାଇଁ ଋଷ ଶକ୍ତିଠୁଳ କରୁଥିବା ସୂଚନା ମିଳିଛି । ୟୁକ୍ରେନର ଦକ୍ଷିଣାଞ୍ଚଳ ଦୋନବାସ ଅଞ୍ଚଳରେ ସ୍ଥିତି ଅତି ଜଟିଳ ହୋଇଛି ଏବଂ ସେଠାରେ ବି ଋଷ ନୂଆ ରଣକୌଶଳ ଆପଣାଉଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ବିପନ୍ନ ଲୋକଙ୍କ ପଳାୟନ ଲାଗି ମାରିଉପୋଲରୁ ଜାପୋରଜିଆ ଯାଏ ଆଜି ଏକ ହ୍ୟୁମାନଟାରିଆନ କରିଡର ଖୋଲାଯାଇଛି ।

ହ୍ୟୁମାନଟାରିଆନ କରିଡର ଖୋଲିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଓ ଜର୍ମାନ ଚାନସେଲର ଓଲାଫ ସ୍କଜଙ୍କ ବ୍ୟକ୍ତିଗତ ଅନୁରୋଧ କ୍ରମେ ଋଷ ଏହି ପଦକ୍ଷେପ ନେଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଜାତିସଂଘ ଓ ରେଡକ୍ରସ । ନାଗରିକଙ୍କ ପଳାୟନ ଲାଗି ୟୁକ୍ରେନ ସରକାରଙ୍କ ପକ୍ଷରୁ ବହୁ ସଂଖ୍ୟକ ବସ୍ ନିୟୋଜିତ କରାଯାଇଛି । ରାଜଧାନୀ କିବ ଓ ଉତ୍ତରାଞ୍ଚଳ ସହର ଚେର୍ଣ୍ଣିହିବରେ ଋଷ ସୈନ୍ୟଙ୍କ ଆକ୍ରମଣ ଜାରି ରହିଛି । ଆକ୍ରମଣ ଥମିବାର କୌଣସି ସୂଚନା ମିଳୁନାହିଁ ।

ଦୋନବାସରେ ମଧ୍ୟ ଋଷ ସୈନ୍ୟ ଅଧିକ ସଂଖ୍ୟାରେ ଠୁଳ ହେବାରେ ଲାଗିଛନ୍ତି । ତେଣେ ୟୁରୋପ ବିରୋଧରେ ଋଷ ନେଇପାରେ ବଡ଼ଧରଣର ପଦକ୍ଷେପ । ୟୁରୋପକୁ ଦିଆଯାଇଥିବା ଗ୍ୟାସ ସଂଯୋଗକୁ ବନ୍ଦ କରିଦେବା ଲାଗି ଋଷ ଦେଇଛି ଧମକ । ପ୍ରାୟ ମାସାଧିକ କାଳ ଚେର୍ଣ୍ଣୋବିଲ ଆଣବିକ ପାୱାର ପ୍ଲାଣ୍ଟରେ ଡେରା ପକାଇଥିବା ଋଷ ସୈନ୍ୟ ସେହି ସ୍ଥାନ ଛାଡିଛନ୍ତି ବୋଲି ସୂଚନା ମିଳିଛି ।

ସେପଟେ ଯୁଦ୍ଧ ପ୍ରସଙ୍ଗରେ ଆଜି ବସୁଛି ୟୁରୋପୀୟ ରାଷ୍ଟ୍ରସଂଘ ଓ ଚୀନର ବୈଠକ । ଏହି ବୈଠକରେ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଣଠାରୁ ଆରମ୍ଭ କରି କୌଣସି ପ୍ରକାର ସାହାଯ୍ୟ ନକରିବା ଲାଗି ଚୀନ ନିକଟରେ ଦାବି କରିପାରନ୍ତି ଇୟୁ ନେତା । ୟୁରୋପିଆନ କମିଶନ ଅଧ୍ୟକ୍ଷ ଉର୍ସୁଲା ଲେୟେନ ଓ ୟୁରୋପିଆନ କାଉନସିଲ ଅଧ୍ୟକ୍ଷ ଚାର୍ଲସ ମିସେଲ ଚୀନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିବେ ।