ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ, ଶୀତକୁ ଯୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛି ଋଷ

କିଭ୍: ଶୀତକୁ ଯୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛି ଋଷ । ୟୁକ୍ରେନରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଋଷ ସେନା ପାଓ୍ୱାର ପ୍ଲାଣ୍ଟ ଉପରେ ଆକ୍ରମଣ ଜାରି ରଖିଛି । ଏୟାର ଷ୍ଟ୍ରାଇକରେ ୟୁକ୍ରେନର ଅଧିକାଂଶ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ ଧ୍ୱଂସ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଇଲେକ୍ଟ୍ରିସିଟି ନଥିବାରୁ ଅସହ୍ୟ ଜାଡ଼ରେ ଥରୁଛି ୟୁକ୍ରେନ । ରୋମାନିଆରେ ନାଟୋ ସଦସ୍ୟ ରାଷ୍ଟ୍ର ସମୁହ ବୈଠକରେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି ନାଟୋ ମୁଖ୍ୟ ।

ଆଗାମୀ ଦିନରେ ୟୁକ୍ରେନର ହଜାର ହଜାର ଲୋକ ଦେଶାନ୍ତର ହେବା ଆଶଙ୍କା କରାଯାଉଛି । ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଅଧିକ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ନାଟୋ ମୁଖ୍ୟ କହିଛନ୍ତି । ୨୪ ଫେବୃୟାରୀ ଯୁଦ୍ଧାରମ୍ଭ ପରଠାରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୭୪ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ପଳାୟନ କରିଛନ୍ତି । ସେପଟେ ଋଷର କୁସ୍କ ପ୍ରାନ୍ତରେ ପାଓ୍ୱାରପ୍ଲାଣ୍ଟ ଉପରେ ୟୁକ୍ରେନ ମିସାଇଲ ମାଡ଼ କରିବା ଯୋଗୁ ଅନେକ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଛି ବୋଲି ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି ।