ଋଷ ଦାବି ପୂରଣ ନହେଲେ ୟୁକ୍ରେନ ଉପରେ ହୋଇପାରେ ଆକ୍ରମଣ: ଭ୍ଲାଦିମିର ପୁଟିନ

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ସୀମାରେ ବଢିଲା ଯୁଦ୍ଧ ଭୟ । ସୀମାରେ ସୈନ୍ୟ ସଂଖ୍ୟା ବଢାଇବା ଲାଗି ୟୁକ୍ରେନ ସରକାର ନେଇଛନ୍ତି ନିଷ୍ପତ୍ତି । ଏନେଇ ଘୋଷଣା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି । ତେବେ ଯୁଦ୍ଧ ଲାଗି ଏହି ସୈନ୍ୟ ମୁତୟନ ହେବେ ନାହିଁ ଏବଂ ଭବିଷ୍ୟତରେ ଶାନ୍ତି ପ୍ରତିଷ୍ଠା ଲାଗି ଏହା ଉଦ୍ଦିଷ୍ଟ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି- ଯଦି ଋଷର ଦାବି ପୂରଣ କରା ନଯାଏ ତେବେ ୟୁକ୍ରେନ ଉପରେ ଆକ୍ରମଣ ହୋଇପାରେ । ଏହା ସହ ନାଟୋ ରାଷ୍ଟ୍ର ଗୋଷ୍ଠୀରେ ୟୁକ୍ରେନକୁ ସାମିଲ ନ କରିବା ଲାଗି ପୁଟିନ ଦାବି କରିଛନ୍ତି ।

ତେଣେ ୟୁକ୍ରେନ ସୀମାରେ ମୁତୟନ ଥିବା ସୈନ୍ୟଙ୍କୁ ତୁରନ୍ତ ଫେରାଇ ନେବା ଲାଗି ଋଷକୁ ନିର୍ଦ୍ଦେଶ ଦେଇଛି ଆମେରିକା । ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ଆମେରିକା ବୈଦଶିକ ମନ୍ତ୍ରୀ ଆଣ୍ଟୋନି କହିଛନ୍ତି-ୟୁକ୍ରେନ ଉପରେ ଯଦି ଆକ୍ରମଣ ହୁଏ ତେବେ ଆମେରିକା ନୀରବ ରହିବ ନାହିଁ । ବର୍ତ୍ତମାନ ଋଷର ମୋଟ ସୈନ୍ୟ  ସଂଖ୍ୟା ୯ ଲକ୍ଷ ଥିବାବେଳେ ୟୁକ୍ରେନର ମୋଟ ସୈନ୍ୟ ସଂଖ୍ୟା ମାତ୍ର ଅଢେଇ ଲକ୍ଷ ଅଟେ । ଋଷର ସହଯୋଗୀ ରାଷ୍ଟ୍ର ବେଲାଋଷରେ ଋଷ ନିଜର ସୈନ୍ୟଙ୍କୁ ନେଇ ଡ୍ରିଲ କରିବା ଆରମ୍ଭ କରିଛି । ଯେ କୌଣସି ଆକ୍ରମଣର ମୁକାବିଲା ଲାଗି ଋଷ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ତେଣେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାତେସୁ ମୋରାଓ୍ବିକି କହିଛନ୍ତି ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ୟୁକ୍ରେନକୁ ତାଙ୍କ ରାଷ୍ଟ୍ର ସମର୍ଥନ କରିବ । ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ୟୁକ୍ରେନ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ।

Leave a Reply